Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

AIରୁ ମାଗଣା କୋଚିଂ, ଖେଳରୁ ସେମିକଣ୍ଡକ୍ଟର: ସ୍ୱାଧୀନତା ଦିବସରେ ମୋଦୀଙ୍କ ୬ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ି, ଶିକ୍ଷା, ପ୍ରଯୁକ୍ତି, କ୍ରୀଡ଼ା, ନାଗରିକ ସୁରକ୍ଷା, ସେମିକଣ୍ଡକ୍ଟର ଓ ପରମାଣୁ ଶକ୍ତିକୁ ନେଇ ଏକାଧିକ ବଡ଼ ଘୋଷଣା କରିଛନ୍ତି। ଏଥିରେ ଆସନ୍ତା ଏକ ବର୍ଷରେ ୧ କୋଟି ଯୁବକ-ଯୁବତୀଙ୍କୁ AI ଦକ୍ଷତା ପ୍ରଶିକ୍ଷଣ ଦେବା ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ଯୋଗାଇବା ପ୍ରମୁଖ ଘୋଷଣା ରହିଛି।

୧. ୧ କୋଟି ଯୁବକ-ଯୁବତୀଙ୍କୁ AI ପ୍ରଶିକ୍ଷଣ

ଭାରତର ଯୁବପିଢ଼ିକୁ AI କ୍ଷେତ୍ରରେ ଆଗକୁ ନେବା ପାଇଁ ଆସନ୍ତା ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ AI ସ୍କିଲ୍ ଟ୍ରେନିଂ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ମୋଦୀ କହିଛନ୍ତି। ଭାରତର ଯୁବପିଢ଼ି AI କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବା ଭଳି ଦକ୍ଷତା ହାସଲ କରନ୍ତୁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ସରକାର SOAR ଓ ‘YUVA AI for ALL’ ଭଳି AI ଶିକ୍ଷା କାର୍ଯ୍ୟକ୍ରମ ଚଳାଇଆସୁଛି।

୨. ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମହଙ୍ଗା କୋଚିଂ ଉପରେ ପରିବାରଗୁଡ଼ିକର ଆର୍ଥିକ ଚାପ କମାଇବା ପାଇଁ ମାଗଣା ଅନଲାଇନ୍ କୋଚିଂ ବ୍ୟବସ୍ଥା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର, ଶିକ୍ଷକ ଓ ଦକ୍ଷତାକୁ ଏକାଠି କରି ଯୁବପିଢ଼ି ପାଇଁ ଏକ ବ୍ୟାପକ ଅନଲାଇନ୍ କୋଚିଂ ନେଟୱର୍କ ତିଆରି କରାଯିବ।

୩. ଦେଶବ୍ୟାପୀ କ୍ରୀଡ଼ା ପ୍ରତିଭା ଖୋଜ

୨୦୩୬ ଅଲିମ୍ପିକ୍ସରେ ଭାରତର ଅଧିକ ଅଂଶଗ୍ରହଣ ଲକ୍ଷ୍ୟ ରଖି ୫ରୁ ୧୫ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ ପାଇଁ ଦେଶବ୍ୟାପୀ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଚିହ୍ନଟ ହେଉଥିବା ପ୍ରତିଭାଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଦୃଢ଼ ଦାବିଦାର ବୋଲି ମଧ୍ୟ ମୋଦୀ କହିଛନ୍ତି।

୪. ଆଧୁନିକ ସିଭିଲ୍ ଡିଫେନ୍ସ ନେଟୱର୍କ

ବଦଳୁଥିବା ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଦେଶରେ ଏକ ଆଧୁନିକ ସିଭିଲ୍ ଡିଫେନ୍ସ ନେଟୱର୍କ ଗଠନ କରାଯିବ। ସ୍ୱେଚ୍ଛାସେବୀମାନଙ୍କୁ ଆଧୁନିକ ପ୍ରଯୁକ୍ତି, ପ୍ରଶିକ୍ଷଣ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୫. ସେମିକଣ୍ଡକ୍ଟର ଉତ୍ପାଦନରେ ବଡ଼ ବିସ୍ତାର

ଡିଜିଟାଲ୍ ଅର୍ଥନୀତିରେ ଚିପ୍‌ର ଗୁରୁତ୍ୱକୁ ଉଲ୍ଲେଖ କରି ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଆଗକୁ ବଢ଼ୁଥିବା ମୋଦୀ କହିଛନ୍ତି। ତିନୋଟି ବଡ଼ ସେମିକଣ୍ଡକ୍ଟ ପ୍ଲାଣ୍ଟ ସ୍ଥାପିତ ହୋଇଥିବା ଏବଂ ଏଥିରୁ ଉତ୍ପାଦନ ଓ ରପ୍ତାନି ଆରମ୍ଭ ହୋଇଥିବା ସେ କହିଛନ୍ତି। ଆସନ୍ତା ୭-୮ ବର୍ଷରେ ଆଉ ୫ରୁ ୮ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭ ହେବ ବୋଲି ମୋଦୀ ଘୋଷଣା କରିଛନ୍ତି।

୬. ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି

ଦେଶର ଦୀର୍ଘମିଆଦୀ ଶକ୍ତି ସୁରକ୍ଷା ପାଇଁ ପରମାଣୁ ଶକ୍ତିକୁ ବଡ଼ ଭୂମିକା ଦେବାକୁ ସରକାର ଲକ୍ଷ୍ୟ ରଖିଛି। ୨୦୪୭ ସୁଦ୍ଧା ଭାରତର ପରମାଣୁ ଶକ୍ତି କ୍ଷମତାକୁ ୧୦୦ GWରେ ପହଞ୍ଚାଇବା ଲକ୍ଷ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ଚଳିତ ଦଶନ୍ଧି ମଧ୍ୟରେ ୫ଟି ନୂଆ ପରମାଣୁ ରିଆକ୍ଟର ଚାଲୁ କରିବାର ଲକ୍ଷ୍ୟ ମଧ୍ୟ ରହିଛି।

ଯୁବପିଢ଼ି, ପ୍ରଯୁକ୍ତି, ଶିକ୍ଷା ଓ ଶକ୍ତି ସୁରକ୍ଷା—ଏହି ଛଅଟି ଘୋଷଣା ମାଧ୍ୟମରେ ୨୦୪୭ର ବିକଶିତ ଭାରତ ଲକ୍ଷ୍ୟକୁ ଆହୁରି ଗତି ଦେବାକୁ ପ୍ରଧାନମନ୍ତ୍ରୀ ଏକ ରୋଡମ୍ୟାପ୍ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ