ଓଡ଼ିଶାର ୬ ଜିଲ୍ଲାରେ ବନ୍ୟା: ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୧୦ ହଜାରରୁ ଅଧିକ ଜଳବନ୍ଦୀ
ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାରେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିଛି। ରାଜ୍ୟର ୬ଟି ଜିଲ୍ଲାର ୪୨୮ଟି ଗାଁର ୨ ଲକ୍ଷ ୯ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରର ୩୩ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। ଏପର୍ଯ୍ୟନ୍ତ ୨,୭୮୪ ଜଣଙ୍କୁ ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ନିମ୍ନାଞ୍ଚଳରୁ ପ୍ରାୟ ୪୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୨୭ଟି ବନ୍ୟା ଆଶ୍ରୟସ୍ଥଳ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ବନ୍ୟାରେ ୧,୬୨୩ ହେକ୍ଟରରୁ ଅଧିକ ଚାଷଜମିର ଫସଲ ନଷ୍ଟ ହୋଇଥିବା ବେଳେ ୪୨୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହୋଇଥିବା ବେଳେ ୭୯ ହଜାରରୁ ଅଧିକ ଲୋକ ପ୍ରଭାବିତ ଏବଂ ୨,୭୦୦ରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବାରୁ ଜିଲ୍ଲା ପ୍ରଶାସନକୁ ଅଧିକ ଗୁରୁତର ବନ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଭଦ୍ରକରେ ୫୧,୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୩,୧୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଯାଜପୁରରେ ୪୬,୫୦୦ ଲୋକ ପ୍ରଭାବିତ ଏବଂ ୧୧,୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ଋତୁରେ ଯାଜପୁର ଚତୁର୍ଥ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛି। ତରପଦା ପଞ୍ଚାୟତର ଦୋଭାବିଲ ପଟଣା ନିକଟରେ ବନ୍ଧ ଭାଙ୍ଗି କାଣୀ ନଦୀର ପାଣି ଗାଁଗୁଡ଼ିକରେ ପ୍ରବେଶ କରିଛି।
ସୁନ୍ଦରଗଡ଼ରେ ୧୫,୧୦୦ରୁ ଅଧିକ ଲୋକ ପ୍ରଭାବିତ ଏବଂ ୧,୮୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜରେ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୮,୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢୁଥିବାରୁ ଜିଲ୍ଲାର ଅଧିକ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। କେନ୍ଦୁଝରର ଯୋଡ଼ା, ଚମ୍ପୁଆ, ବଡ଼ବିଲ ଓ ଆନନ୍ଦପୁର ବ୍ଲକ୍ର କିଛି ଅଞ୍ଚଳ ବୈତରଣୀ ନଦୀର ବନ୍ୟାଜଳରେ ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମୋଟ ୭୯ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେଥିରେ ଓଡ୍ରାଫର ୩୯ଟି, ଏନ୍ଡିଆର୍ଏଫ୍ର ୭ଟି ଏବଂ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ୩୩ଟି ଟିମ୍ ରହିଛି।

