‘ବିଜେପିକୁ ପଚରାଯିବ ଟ୍ରେନ ଦୁର୍ଘଟଣା କେମିତି ହେଲା ? ସେମାନେ କହିବେ- କଂଗ୍ରେସ…’


ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶାର ବାଲେଶ୍ଵରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ଆମ ଦେଶରେ ଏକ ବଡ଼ ସମସ୍ୟା ରହିଛି। ବିଜେପି ଏବଂ ଆରଏସଏସ ଏହାକୁ ଦେଖିବାରେ ଅସମର୍ଥ। ଯଦି ସେମାନଙ୍କୁ ପ୍ରଶ୍ନ କରାଯିବ ଯେ ଟ୍ରେନ ଦୁର୍ଘଟଣା କାହିଁକି ହେଲା, ସେମାନେ କହିବେ କଂଗ୍ରେସ ୫୦ ବର୍ଷ ପୂର୍ବେ ଏହା କରିଛି।

ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସମୟରେ ଯେବେ ଟ୍ରେନ ଦୁର୍ଘଟଣା ଘଟିଥିଲା, ସେତେବେଳେ କଂଗ୍ରେସ କହୁନଥିଲା ଯେ, ଏହା ଇଂରେଜମାନଙ୍କର ଭୁଲ,ଏଥିପାଇଁ ଦୁର୍ଘଟଣା ଘଟିଛି। ଏପରିକି ତତ୍କାଳୀନ ରେଳ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଗତକାଲି ରାହୁଲ ଗାନ୍ଧୀ ଟୁଇଟ୍ କରିଥିଲେ ଯେ, ୨୭୦ରୁ ଉର୍ଦ୍ଧ୍ଵ ମୃତ୍ୟୁ ପରେ ବି କେହି ଉତ୍ତରଦାୟୀ ନାହାନ୍ତି। ମୋଦୀ ସରକାର ଏତେ ବଡ଼ ହୃଦୟ ବିଦାରକ ଦୁର୍ଘଟଣାରେ ନିଜ ଦାୟିତ୍ଵରୁ ଓହରି ପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ରେଳ ମନ୍ତ୍ରୀଙ୍କ ଇସ୍ତଫା ନେବା ଉଚିତ୍।

ରାହୁଲ କହିଛନ୍ତି, ଭାରତରେ ୨ ବିଚାରଧାରା ମଧ୍ୟରେ ଲଢେଇ ଚାଲିଛି। ଗୋଟିଏ ହେଉଛି ଯାହାର ଆମେ ପ୍ରତିନିଧିତ୍ଵ କରୁଛୁ ଏବଂ ଅନ୍ୟଟି ହେଉଛି ବିଜେପି ଏବଂ ଆରଏସଏସ ଯାହାର ପ୍ରତିନିଧିତ୍ଵ କରୁଛନ୍ତି। ସରଳ ଭାଷାରେ କହିବାକୁ ଗଲେ ଏହି ଲଢେଇ ଆମର ବିଚାରଧାରା ମହାତ୍ମା ଗାନ୍ଧୀଙ୍କ ଏଂ ଅନ୍ୟପଟେ ନାଥୁରାମ ଗୋଡ଼ସେଙ୍କ।

ରାହୁଲଙ୍କ ବ୍ୟତୀତ ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଅନେକ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ଏପରିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ ମୃତ ସଂଖ୍ୟା ନେଇ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ କେନ୍ଦ୍ରର ତାଲିକାରେ ଏହି ସଂଖ୍ୟା କମିବାରେ ଲାଗିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗାରେ ୩ଟି ଟ୍ରେନ ମଧ୍ୟରେ ଘଟଥିବା ଭୟାନକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।