ଓଡ଼ିଶା ସମେତ ୧୫ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ମୌସୁମୀ ଋତୁ ଜାରି ରହିଥିବା ବେଳେ ଦେଶର ଅନେକ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଆଜି ଓଡ଼ିଶା ସମେତ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ଓ ବଜ୍ରପାତର ଆଶଙ୍କା ରହିଛି। କେତେକ ଅଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିପାରେ। ଏହା ସହିତ କିଛି ସ୍ଥାନରେ ଶିଳାବୃଷ୍ଟିର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
IMDର ସତର୍କତା ଜାରି ହୋଇଥିବା ୧୫ଟି ରାଜ୍ୟ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଆସାମ, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ ଓ ଓଡ଼ିଶା ରହିଛି। ପୂର୍ବ ଭାରତରେ ବଜ୍ରପାତର ଘଟଣା ଅଧିକ ହେବାର ଆଶଙ୍କା ରହିଛି। ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଉପର-ବାୟୁ ଘୂର୍ଣ୍ଣିବଳୟ ଯୋଗୁଁ ପାଗ ଅସ୍ଥିର ରହିପାରେ। ସେହିପରି ଦକ୍ଷିଣ-ପଶ୍ଚିମ ରାଜସ୍ଥାନରେ ମଧ୍ୟ ଘୂର୍ଣ୍ଣିବଳୟ ପ୍ରଭାବ ରହିଥିବା ସୂଚନା ମିଳିଛି।
ରାଜଧାନୀ ଦିଲ୍ଲୀରେ ମଧ୍ୟ ଆଜି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ସେଲସିୟସ୍ ରହିପାରେ। ଝଡ଼ ଓ ବଜ୍ରପାତ ସମୟରେ ଲୋକଙ୍କୁ ଖୋଲା ସ୍ଥାନରେ ନ ରହିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

