ସାପ କାମୁଡ଼ିବା ପରେ ଭାଇଙ୍କ ଅସାଧାରଣ ପ୍ରୟାସ! ଚେତା ରେ ରଖିବା ପାଇଁ ସାନ ଭାଇକୁ ୧୫୦ ଚାପୁଡ଼ା ମାରିଲେ ବଡ ଭାଇ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ସାପ କାମୁଡ଼ିବା ପରେ ଜଣେ ଯୁବକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ବଡ଼ ଭାଇଙ୍କ ଅସାଧାରଣ ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି। ଦେହାତ କୋତୱାଲି ଥାନା ଅଧୀନ ଜ୍ୟୋତି ନଗରର ୨୧ ବର୍ଷୀୟ ଅରୁଣ ବିଲରେ ଘାସ ବସ୍ତା ଉଠାଉଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା।
ହସ୍ପିଟାଲରେ ଏମର୍ଜେନ୍ସି ମେଡିକାଲ ଅଫିସର ଡାକ୍ତର ଶେର ସିଂହଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତରୀ ଟିମ୍ ଅରୁଣଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସାପର ବିଷ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରୁଥିବାରୁ ତାଙ୍କୁ ସଚେତନ ରଖିବା ପାଇଁ ପରିବାରକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ବଡ଼ ଭାଇ ଆକାଶ ଅରୁଣଙ୍କୁ ଶୋଇବାରୁ ରୋକିବା ପାଇଁ ପ୍ରାୟ ୧୫୦ ଥର ଚାପୁଡ଼ା ମାରି ତାଙ୍କୁ ସଚେତନ ରଖିଥିଲେ। ଏପଟେ ସାପ ବିଷର ପ୍ରଭାବ ଅଧିକ ଥିବାରୁ ଡାକ୍ତରୀ ଟିମ୍ ଦୁଇ ଘଣ୍ଟା ମଧ୍ୟରେ ୧୫ଟି ଆଣ୍ଟି-ଭେନମ୍ ଇଞ୍ଜେକ୍ସନ୍ ଦେଇଥିଲେ।
ଡାକ୍ତରଙ୍କ ଅନୁଯାୟୀ, ସାପ କାମୁଡ଼ିବା ପରେ ରୋଗୀ ଅଚେତ ହୋଇଗଲେ କିମ୍ବା ଶୋଇପଡ଼ିଲେ ଶ୍ୱାସନଳୀରେ ବାନ୍ତି ଫସିଯିବା ଏବଂ ଶ୍ୱାସକ୍ରିୟା ବନ୍ଦ ହେବାର ଆଶଙ୍କା ରହିଥାଏ। ସମୟୋଚିତ ଚିକିତ୍ସା ଓ ପରିବାରର ସହଯୋଗ ଯୋଗୁଁ ଅରୁଣଙ୍କ ଜୀବନ ରକ୍ଷା ହୋଇପାରିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

