ବର୍ଷାକୁ ଖାତିର ନକରି ରାଜରାସ୍ତାରେ ଶିକ୍ଷକ, ୪ ଦଫା ଦାବିରେ ଗାନ୍ଧିମାର୍ଗରେ ବଡ଼ ଧାରଣା
ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧିମାର୍ଗରେ ପୁଣି ଥରେ ଗର୍ଜିଛନ୍ତି ଶିକ୍ଷକ ଓ କର୍ମଚାରୀ। ୪ ଦଫା ଦାବି ନେଇ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ-କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହୋଇଛି। ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଗାନ୍ଧିମାର୍ଗରେ ଏକାଠି ହୋଇ ଧାରଣାରେ ବସିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଛତା ଧରି ଆନ୍ଦୋଳନକାରୀମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।
ସଂଘର ପ୍ରମୁଖ ଦାବି ମଧ୍ୟରେ ରାଜ୍ୟର ସମସ୍ତ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ-କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସହ ପେନସନ୍ ବ୍ୟବସ୍ଥା, ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଏବଂ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ଓ କଲେଜକୁ ସରକାରୀକରଣ କରିବା ରହିଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଶିକ୍ଷକମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏନେଇ କମିଟି ଗଠନ ହୋଇଛି ଏବଂ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ସରକାରଙ୍କ ଆଶ୍ୱାସନ ସତ୍ତ୍ୱେ ଶିକ୍ଷକମାନେ ଦାବି ପୂରଣ ନେଇ ଅଡ଼ି ରହିଛନ୍ତି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ସମାଧାନର ବାଟ ନବାହାରିବାରୁ ବର୍ଷାରେ ଭିଜି ମଧ୍ୟ ଗାନ୍ଧିମାର୍ଗରେ ଧାରଣା ଜାରି ରଖିଛନ୍ତି ଶିକ୍ଷକ ଓ କର୍ମଚାରୀ।

