ବଦଳିଲା କେରଳର ନାମ ହେଲା ‘କେରଳମ୍’! ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରି
ନୂଆଦିଲ୍ଲୀ: କେରଳର ନାମ ପରିବର୍ତ୍ତନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ନାମ ‘କେରଳମ୍’ କରିବା ସମ୍ପର୍କିତ ବିଲ୍କୁ ମଞ୍ଜୁରି ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଧେୟକ ଏବେ ଆଇନରେ ପରିଣତ ହୋଇଛି। ୨୦୨୬ର କେରଳ (ନାମ ପରିବର୍ତ୍ତନ) ବିଲ୍ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଥିଲା।
ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ୨୦୨୪ରେ କେରଳ ବିଧାନସଭା ରାଜ୍ୟର ନାମ ‘କେରଳମ୍’ କରିବା ପାଇଁ ସର୍ବସମ୍ମତିରେ ପ୍ରସ୍ତାବ ପାରିତ କରିଥିଲା। ଜୁନ୍ ୨୦୨୪ରେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ବିଲ୍ଟିକୁ ରାଜ୍ୟ ବିଧାନସଭାର ମତାମତ ପାଇଁ ପଠାଇଥିଲେ। ଏହାପରେ ବିଧାନସଭା ବିଲ୍କୁ ସମର୍ଥନ କରି ସର୍ବସମ୍ମତିରେ ପୁଣି ଏକ ପ୍ରସ୍ତାବ ପାରିତ କରିଥିଲା।
ନୂଆ ଆଇନ ଅନୁଯାୟୀ, ସମ୍ବିଧାନର ପ୍ରଥମ ଅନୁସୂଚୀରେ ‘Kerala’ ବଦଳରେ ‘Keralam’ ନାମ ଲେଖାଯିବ। ସମ୍ବିଧାନର ଧାରା ୩ ଅନୁସାରେ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଆବଶ୍ୟକ ସାମ୍ବିଧାନିକ ସଂଶୋଧନ ଏହି ଆଇନରେ ରହିଛି। ଏହା ଫଳରେ ଆଧିକାରିକ ଭାବେ କେରଳ ଏବେ ‘କେରଳମ୍’ ନାମରେ ପରିଚିତ ହେବ।

