ଜିଦରେ ଅଡି ରହିଛି ଅନଲାଇନ୍ ଅଟୋ ସଂଘ! ଲୋୟର ପିଏମଜିରେ ମହାପ୍ରତିବାଦ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତୀବ୍ର ହେଉଛି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ। ଆଜି ଆନ୍ଦୋଳନର ତୃତୀୟ ଦିନ ହୋଇଥିବା ବେଳେ ଅଟୋ ଚଳାଚଳ ବନ୍ଦ ଯୋଗୁଁ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି। ବିଶେଷକରି ରେଳ ଷ୍ଟେସନ, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନକୁ ଯାତାୟାତ କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୩୦ ଦଫା ଦାବି ନେଇ ଅନଲାଇନ୍ ଅଟୋ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଲା, ଉବର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି। ଅଟୋ ଚାଳକଙ୍କ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ବ୍ୟବସ୍ଥାରେ ପରିବର୍ତ୍ତନ ସମେତ ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ପରିବହନ ମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ହୋଇଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳିନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।
ଆଜି ଲୋୟର ପିଏମଜିରେ ବଡ଼ ଧରଣର ପ୍ରତିବାଦ ପାଇଁ ସଂଘ ପକ୍ଷରୁ ଡାକରା ଦିଆଯାଇଛି। ହଜାର ହଜାର ଅଟୋ ଚାଳକ ଏକାଠି ହୋଇ ନିଜ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଅଟୋ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଯାତ୍ରୀମାନେ ବିକଳ୍ପ ଯାନବାହନ ଉପରେ ନିର୍ଭର କରୁଛନ୍ତି। ଆନ୍ଦୋଳନ କେବେ ଶେଷ ହେବ ଏବଂ ସରକାରଙ୍କ ସହ ଆଲୋଚନାରୁ କେବେ ସମାଧାନର ବାଟ ବାହାରିବ, ଏବେ ତା’ଉପରେ ନଜର ରହିଛି।

