ପିପିଲିରେ ଥର୍ ଆତଙ୍କ: ଷଣ୍ଢକୁ ଧକ୍କା ପରେ ବାଇକ୍ ଆରୋହୀଙ୍କ ଜୀବନ ନେଲା
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ନିକଟରେ ଏକ ଥର୍ ଗାଡ଼ିକୁ ନେଇ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାସ୍ତାରେ ଥିବା ଏକ ଷଣ୍ଢ ସହ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପିପିଲି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ, ଆଜି ଭୋରୁ ପୁରୀରୁ ଭୁବନେଶ୍ୱର ଆସୁଥିବା ଥାର୍ରେ କିଛି ଯୁବକ ଥିଲେ। ପିପିଲି ଟୋଲ୍ ପ୍ଲାଜା ନିକଟରେ ଗାଡ଼ିଟି ବ୍ୟାରିକେଡ୍ ଭାଙ୍ଗି ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ଅଭିଯୋଗ ହୋଇଛି।
ପରେ ପମସର ଛକ ନିକଟରେ ରାସ୍ତାରେ ଥିବା ଏକ ଷଣ୍ଢକୁ ଥର୍ଟି ଜୋର୍ଦାର ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିଲା। ଏହାପରେ ଗାଡ଼ିଟି ଜଣେ ସ୍ଥାନୀୟ ବାଇକ୍ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ବ୍ୟକ୍ତିଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ପିପିଲି ପୋଲିସ ଥର୍ ଗାଡ଼ିକୁ ଜବତ କରିଛି। ଦୁର୍ଘଟଣା ସମୟରେ ଗାଡ଼ିର ଗତି କେତେ ଥିଲା, ଚାଳକ କିଏ ଥିଲେ ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

