‘ବଞ୍ଚାଅ ବଞ୍ଚାଅ’ ଚିତ୍କାର କରୁଥିଲେ ଓଲା ଚାଳକ, ୨ କିମି ବନେଟ୍ରେ ଘୋଷାଡ଼ିଲା କାର୍ !
ମୁମ୍ବାଇ: ନଭି ମୁମ୍ବାଇରେ ରୋଡ୍ ରେଜ୍କୁ ନେଇ ଜଣେ ଓଲା ଚାଳକଙ୍କୁ ଲୁହା ରଡ୍ରେ ଆକ୍ରମଣ କରିବା ସହ ଚଳନ୍ତା କାର୍ର ବନେଟ୍ ଉପରେ ପ୍ରାୟ ୨ କିଲୋମିଟର ଘୋଷାଡ଼ି ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ପାମ୍ ବିଚ୍ ରୋଡ୍ରେ ଓଭରଟେକିଂକୁ ନେଇ ଓଲା ଚାଳକ ପ୍ରବୀଣ ପାଣ୍ଡେଙ୍କ ସହ ଜଣେ ଅଜଣା କାର୍ ଚାଳକଙ୍କର ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ବଚସା ପରେ କାର୍ ଚାଳକ ପ୍ରବୀଣଙ୍କ ମୁଣ୍ଡକୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇ ରକ୍ତାକ୍ତ ହୋଇଥିଲେ।
ଘଟଣା ପରେ ଅଭିଯୁକ୍ତ କାର୍ ଚାଳକ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ପ୍ରବୀଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ କାର୍ ଚାଳକ ଗାଡ଼ି ଚଳାଇ ଦେବାରୁ ପ୍ରବୀଣ ଗାଡ଼ିର ବନେଟ୍ ଉପରେ ପଡ଼ିଯାଇଥିଲେ। ତଳେ ପଡ଼ିଯିବା ଭୟରେ ସେ କାର୍ର ୱିଣ୍ଡସ୍କ୍ରିନ୍ ୱାଇପରକୁ ଧରି ରହିଥିଲେ। ଏହି ସମୟରେ ଚାଳକ ପ୍ରାୟ ୨ କିଲୋମିଟର ଯାଏ କାର୍ ଚଳାଇଥିବା ଅଭିଯୋଗ ହୋଇଛି। ପ୍ରବୀଣ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ଗାଡ଼ି ଅଟକିନଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାକଡ଼ରେ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମୟରେ ପ୍ରବୀଣ ଚଳନ୍ତା କାର୍ର ବନେଟ୍ ଉପରେ ଥାଇ ନିଜ ମୋବାଇଲ୍ରେ ଏକ ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଭିଡିଓରେ ତାଙ୍କ ମୁହଁରେ ରକ୍ତ ଲାଗିଥିବା ସହ ସେ ସାହାଯ୍ୟ ପାଇଁ ନିବେଦନ କରୁଥିବା ଶୁଣିବାକୁ ମିଳୁଛି। ଘଟଣା ପରେ ସେ ନେରୁଲ ଥାନାରେ ଅଭିଯୋଗ କରିଥିଲେ। ପ୍ରଥମେ ପୁଲିସ ଦୁଇ ପକ୍ଷ ମଧ୍ୟରେ ଆପୋସ ବୁଝାମଣା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି। ତେବେ ଏହା ବିଫଳ ହେବା ପରେ ରବିବାର ଭୋର ପ୍ରାୟ ୪ଟା ୩୦ରେ ପୁଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ପରିଚୟ ଓ ଗିରଫ ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ସବିଶେଷ ସୂଚନା ମିଳିନାହିଁ।

