୯ ମାସ ପରେ ଜେଲରେ ଇମ୍ରାନ ଖାନଙ୍କୁ ଭେଟିଲେ ପତ୍ନୀ ଓ ଭଉଣୀ; ସ୍ୱାସ୍ଥ୍ୟ ଓ ଆଇନଗତ ସ୍ଥିତି ନେଇ ଆଲୋଚନା
ପାକିସ୍ତାନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ରାୱଲପିଣ୍ଡିର ଆଦିୟାଲା ଜେଲରେ ପ୍ରାୟ ୯ ମାସ ପରେ ପ୍ରଥମ ଥର ପତ୍ନୀ ବୁଶରା ବିବି ଓ ଭଉଣୀଙ୍କୁ ଭେଟିଛନ୍ତି। ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିବା ପରେ ପରିବାର ସଦସ୍ୟଙ୍କୁ ନିୟମିତ ଭେଟିବା ପାଇଁ ଅନୁମତି ମିଳିଛି। ପାକିସ୍ତାନୀ ଗଣମାଧ୍ୟମ ‘ଡନ୍’ର ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ଭଉଣୀ ନୋରିନ ନିୟାଜୀ ପ୍ରାୟ ୧୫ ମିନିଟ୍ ଧରି ତାଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉଭୟ ସ୍ୱାସ୍ଥ୍ୟ ଓ ଆଇନଗତ ସ୍ଥିତି ସମ୍ପର୍କରେ କଥା ହୋଇଥିଲେ।
ନୋରିନ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ। ଇମ୍ରାନଙ୍କୁ ମେଡିକାଲ ଯାଞ୍ଚ ପାଇଁ ଇସ୍ଲାମାବାଦର ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ପଠାଇବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ଜେଲ ସୂତ୍ର ଅନୁସାରେ ବୁଶରା ବିବି ଓ ଇମ୍ରାନଙ୍କ ମଧ୍ୟରେ ପ୍ରାୟ ୩୫ରୁ ୪୦ ମିନିଟ୍ ଧରି ସାକ୍ଷାତ ହୋଇଥିଲା। ଏହାସହ ବୁଶରା ବିବି ତାଙ୍କ ପ୍ରଥମ ବିବାହର ସନ୍ତାନ ଓ ନଣନ୍ଦ ମେହେରୁନ୍ନିଶାଙ୍କୁ ମଧ୍ୟ ପୃଥକ ଭାବେ ଭେଟିଥିଲେ।
ତେବେ ଇମ୍ରାନଙ୍କ ସହ ସାକ୍ଷାତ ସୁଯୋଗକୁ ରାଜନୈତିକ ଭାବେ ବ୍ୟବହାର ନକରିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାରର ରାଜନୈତିକ ବୟାନବାଜୀ କିମ୍ବା ନିୟମ ଉଲ୍ଲଂଘନ ହେଲେ ଏହି ସୁବିଧା ପ୍ରତ୍ୟାହାର କରାଯାଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି ଏବଂ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ୧୪ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି।

