ମରାଠୀ ନଶିଖିଲେ ହରାଇବେ ଅଟୋ-ଟ୍ୟାକ୍ସି ଲାଇସେନ୍ସ! ଡ୍ରାଇଭରଙ୍କୁ ମହାରାଷ୍ଟ୍ର ପରିବହନ ମନ୍ତ୍ରୀଙ୍କ କଡ଼ା ଚେତାବନୀ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଅଟୋ-ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ମରାଠୀ ଭାଷା ଶିଖିବାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କହିଛନ୍ତି, ମରାଠୀ ଶିଖିବାକୁ ଖୋଲାଖୋଲି ମନା କରୁଥିବା କିମ୍ବା ସରକାରଙ୍କୁ ଚ୍ୟାଲେଞ୍ଜ କରି ଭିଡିଓ ପୋଷ୍ଟ କରୁଥିବା ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମେ ସମ୍ପୃକ୍ତ ଡ୍ରାଇଭରଙ୍କୁ ମରାଠୀ ଶିଖିବା ପାଇଁ ଏକ ମାସର ସମୟ ଦିଆଯିବ। ଏହା ପରେ ମଧ୍ୟ ନିର୍ଦ୍ଦେଶ ନମାନିଲେ ତିନି ମାସ ପାଇଁ ଲାଇସେନ୍ସ ନିଲମ୍ବିତ ହେବ ଏବଂ ଏହା ପରେ ମଧ୍ୟ ଅବହେଳା କଲେ ଲାଇସେନ୍ସ ବାତିଲ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ମରାଠୀ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ମହାରାଷ୍ଟ୍ର ସରକାର ୧୦୫ ଦିନିଆ ଅଭିଯାନ ଆରମ୍ଭ କରିଥିଲେ। ମନ୍ତ୍ରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୧.୬୫ ଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକ ମରାଠୀ ଶିଖି ପ୍ରମାଣପତ୍ର ହାସଲ କରିଛନ୍ତି। ମେ’ ୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡ୍ରାଇଭରମାନଙ୍କୁ ମରାଠୀର ମୌଳିକ ଜ୍ଞାନ ହାସଲ କରିବାକୁ ସମୟ ଦିଆଯାଇଥିଲା। ଏଣିକି ଡ୍ରାଇଭିଂ ଲାଇସେନ୍ସ ପରେ ଜାରି ହେଉଥିବା ବ୍ୟାଜ୍ ପାଇବା ସମୟରେ ମଧ୍ୟ ଡ୍ରାଇଭରଙ୍କ ମରାଠୀ କହିବାର ଦକ୍ଷତା ଯାଞ୍ଚ କରାଯିବ। ଏଥିସହ RTOର ବାୟୁଭେଗ୍ ସ୍କ୍ୱାଡ୍ ପକ୍ଷରୁ ଅଚାନକ ଯାଞ୍ଚ କରାଯିବ ଏବଂ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ।
ଏହାସହ ମହାରାଷ୍ଟ୍ର ପରିବହନ ବିଭାଗ ଅଟୋ-ରିକ୍ସା ଓ ଟ୍ୟାକ୍ସି ପରମିଟ୍ଗୁଡ଼ିକର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଡିଭିଜନାଲ୍ କମିଶନରଙ୍କ ନେତୃତ୍ୱରେ ଏହି ଯାଞ୍ଚ ହେବ ଏବଂ ଦୁଇ ମାସ ମଧ୍ୟରେ ପରିବହନ ମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯିବ। ବିଶେଷକରି ପୁରୁଣା ଅଟୋ ଓ ଟ୍ୟାକ୍ସି ପରମିଟ୍ଗୁଡ଼ିକ ଏବେ ବି ବୈଧ ଅଛି କି ନାହିଁ, ସେନେଇ ଯାଞ୍ଚ କରାଯିବ। ମନ୍ତ୍ରୀ ସରନାଇକ କହିଛନ୍ତି, ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରକୁ ଆସୁଥିବା ଲୋକଙ୍କୁ ଚାକିରିର ସୁଯୋଗ ମିଳିବା ଉଚିତ୍, କିନ୍ତୁ ରାଜ୍ୟର ସରକାରୀ ଭାଷା ମରାଠୀକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ।

