ହୀରାକୁଦ ଜଳଭଣ୍ଡାରରେ ବଢ଼ିଲା ଜଳସ୍ତର, ଖୋଲାଗଲା ଆଉ ୨ ଗେଟ୍; ୧୭ଟି ଗେଟ୍ରେ ଜଳ ନିଷ୍କାସନ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ ପ୍ରବେଶ ଜାରି ରହିଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ବାମ ପାର୍ଶ୍ୱର ୧୧ଟି ଓ ଡାହାଣ ପାର୍ଶ୍ୱର ୬ଟି, ମୋଟ ୧୭ଟି ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୩୭ ଫୁଟ୍ରେ ପହଞ୍ଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୮ ହଜାର ୫୨୩ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୨ ହଜାର ୨୪୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ବର୍ଷା ବଢ଼ିବା ଯୋଗୁ ଜଳଭଣ୍ଡାରକୁ ଜଳ ପ୍ରବେଶ ଆହୁରି ବଢ଼ିବାର ଆଶଙ୍କା ରହିଛି।
ହୀରାକୁଦରୁ ଅଧିକ ପରିମାଣର ଜଳ ନିଷ୍କାସନ ହେଉଥିବାରୁ ମହାନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ନଦୀର ତଳମୁଣ୍ଡ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିପାରେ। ଜଳଭଣ୍ଡାରର ସ୍ଥିତି ଓ ଜଳ ପ୍ରବାହ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ।

