Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦୋଳନରେ ଗାଡ଼ି ବ୍ୟବହାର ପଡ଼ିଲା ମହଙ୍ଗା, ହେବାକୁ ଯାଉଛି ୪୦୦ରୁ ଅଧିକ ଅଟୋର ପରମିଟ୍ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ରାସ୍ତାରୋକ ଓ ବିଶୃଙ୍ଖଳା ଘଟଣା ପରେ ଏବେ ଗାଡ଼ି ମାଲିକଙ୍କ ବିରୋଧରେ ଆରମ୍ଭ ହେବାକୁ ଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଆନ୍ଦୋଳନରେ ବ୍ୟବହୃତ ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ବାତିଲ କିମ୍ବା ନିଲମ୍ବନ ପାଇଁ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ । ପୁଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଓ ଅନ୍ୟ ତଥ୍ୟ ଆଧାରରେ ରାସ୍ତା ଅବରୋଧରେ ସାମିଲ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।

ବୁଧବାର ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଯାତାୟାତ ବ୍ୟାହତ ହୋଇଥିଲା। ଏହାସହ CRUT ଓ ‘ଆମ ବସ୍‌’ ସମେତ କିଛି ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ୪୦୦ରୁ ଅଧିକ ଅଟୋ ରାସ୍ତା ଅବରୋଧରେ ବ୍ୟବହୃତ ହୋଇଥିବା ଜଣାପଡ଼ିବା ପରେ ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ପରମିଟ୍ ବିରୋଧରେ ପଦକ୍ଷେପ ନିଆଯାଉଛି।

ସମ୍ପୃକ୍ତ ଗାଡ଼ିର ପଞ୍ଜୀକୃତ ମାଲିକ ଓ ପରମିଟ୍‌ଧାରୀଙ୍କୁ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆନ୍ଦୋଳନ ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ମାଲିକଙ୍କ ଅନୁମତି କିମ୍ବା ଜାଣତରେ ଏହା ବ୍ୟବହୃତ ହୋଇଥିଲା କି ନାହିଁ, ସେନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ କିମ୍ବା ଶୁଣାଣିରେ ଅନୁପସ୍ଥିତ ରହିଲେ, ଉପଲବ୍ଧ ରେକର୍ଡ ଆଧାରରେ ପରମିଟ୍ ରଦ୍ଦ କିମ୍ବା ନିଲମ୍ବନ ନେଇ ଏକତରଫା ନିଷ୍ପତ୍ତି ହୋଇପାରେ। ତେବେ ଏହି ପ୍ରଶାସନିକ ପଦକ୍ଷେପ ସହ ଘଟଣା ସମ୍ପର୍କିତ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories