‘ମୋ ଯୌବନ ଓ ବ୍ୟକ୍ତିଗତ ଜୀବନକୁ ନେଇ ସ୍ୱପ୍ନ ଦେଖନ୍ତୁନି’: ରାମଦେବଙ୍କୁ କଙ୍ଗନାଙ୍କ କଡ଼ା ଜବାବ
ନୂଆଦିଲ୍ଲୀ: ଜେନ୍ ଜି ବିବାଦକୁ ନେଇ ଯୋଗଗୁରୁ ରାମଦେବଙ୍କ ସମାଲୋଚନା ପରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ତାଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ରାମଦେବ ତାଙ୍କ ଯୌବନ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ‘ସ୍ୱପ୍ନ’ ନ ଦେଖନ୍ତୁ। ଏହାସହ ନିଜ ଚରିତ୍ରକୁ ନେଇ ରାମଦେବଙ୍କ ଠାରୁ କୌଣସି ପ୍ରକାର ଲେସନ ଶୁଣିବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ମଧ୍ୟ କହିଛନ୍ତି। ସେ ଆହୁରି କହିଛନ୍ତିଯେ, ରାମଦେବ ବାବାଙ୍କଠାରୁ ତାଙ୍କର ଚରିତ୍ର ଖୁବ ଭଲ |
ରାମଦେବଙ୍କ ପତଞ୍ଜଳି ବ୍ରାଣ୍ଡକୁ ନେଇ ହୋଇଥିବା ବିବାଦର ପ୍ରସଙ୍ଗ ଉଠାଇ କଙ୍ଗନା ତାଙ୍କୁ ସମାଲୋଚନା କରିଛନ୍ତି। ୨୦୨୪ରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ସମ୍ପର୍କିତ ମାମଲାରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏହାପରେ କଙ୍ଗନା କହିଛନ୍ତି ଯେ, ତାଙ୍କୁ ଚରିତ୍ର ନେଇ ରାମଦେବଙ୍କଠାରୁ ଉପଦେଶର ଆବଶ୍ୟକତା ନାହିଁ। ରାମଦେବ ଏକ ଖବରକୁ ଉଦ୍ଧୃତ କରି କଙ୍ଗନାଙ୍କ ଅତୀତ ଓ ଯୌବନ ସମ୍ପର୍କରେ ପ୍ରଶ୍ନ ଉଠାଇବା ପରେ ଏହି ପ୍ରତିକ୍ରିୟା ଆସିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ଜେନ୍ ଜି ପ୍ରତିବାଦକାରୀଙ୍କୁ କଙ୍ଗନା ପୂର୍ବରୁ ‘ଜେନେରେସନ୍ ଗଟର୍’ ବୋଲି କହିଥିଲେ। ପରେ ସେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ମନ୍ତବ୍ୟ ସମସ୍ତ ଯୁବପିଢ଼ିଙ୍କୁ ଲକ୍ଷ୍ୟ କରି ନୁହେଁ, ବରଂ କିଛି ନିର୍ଦ୍ଦିଷ୍ଟ ଲୋକ କିମ୍ବା ମହିଳାଙ୍କ ସମ୍ପର୍କରେ ଥିଲା। ନିଶାସକ୍ତି, ବେଟିଂ, ଜୁଆ ଓ ଡାର୍କ ୱେବ୍ ଭଳି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ଯୁବପିଢ଼ିର ଏକ ନିର୍ଦ୍ଦିଷ୍ଟ ଅଂଶକୁ ସମାଲୋଚନା କରିବାକୁ ସମଗ୍ର ଯୁବସମାଜ ବିରୋଧରେ ମନ୍ତବ୍ୟ ବୋଲି ଧରିବା ଠିକ୍ ନୁହେଁ।

