Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ, କହିଲେ ଏହା – ‘ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ’

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ ମଧ୍ୟ ଅପମାନ କରାଯାଉଛି ବୋଲି ଶାହ କହିଛନ୍ତି।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ୧୯୩୭ର ଦଳୀୟ ନିଷ୍ପତ୍ତିକୁ ଅନୁସରଣ କରି କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ’ର ପ୍ରଥମ ଦୁଇ ଛନ୍ଦ ଗାନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ନେଇ ଶାହ କହିଛନ୍ତି, ୧୯୩୭ରେ ‘ବନ୍ଦେ ମାତରମ’କୁ ଦୁଇ ଭାଗରେ ସୀମିତ କରିବାର ନିଷ୍ପତ୍ତି ଏକ ଐତିହାସିକ ଭୁଲ ଥିଲା। ତାଙ୍କ ଅଭିଯୋଗ ଅନୁସାରେ, ଏହା ତୁଷ୍ଟୀକରଣ ରାଜନୀତିର ପରିଣାମ ଥିଲା ଏବଂ ଏହାର ଗମ୍ଭୀର ପରିଣାମ ଦେଶକୁ ଭୋଗିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ, କଂଗ୍ରେସ ନିଜ ନିଷ୍ପତ୍ତିକୁ ଐତିହାସିକ ବୋଲି ଦର୍ଶାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି ଯେ, ୧୯୩୭ରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ରବୀନ୍ଦ୍ରନାଥ ଠାକୁର, ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ପଟେଲଙ୍କ ସମୟରେ ନିଆଯାଇଥିବା ନିଷ୍ପତ୍ତିକୁ ହିଁ ଦଳ ଅନୁସରଣ କରୁଛି।

ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ’ ଗାନ କିମ୍ବା ପରିବେଷଣକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ପ୍ରୋଟୋକଲ ଅନୁଯାୟୀ, ନିର୍ଦ୍ଦିଷ୍ଟ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ଗୀତର ଛଅ ଛନ୍ଦ ବିଶିଷ୍ଟ ସଂସ୍କରଣ ପରିବେଷଣ କରାଯିବ। ଅମିତ ଶାହ ଲୋକଙ୍କୁ କଂଗ୍ରେସର ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇବାକୁ ଆହ୍ୱାନ କରିଥିବା ବେଳେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ଜାଣିଶୁଣି ରାଜନୈତିକ ବିବାଦର ରୂପ ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories