ସିଜରିଆନ୍ ପରେ ପେଟରେ ରହିଗଲା ସର୍ଜିକାଲ୍ ଗ୍ଲୋଭ୍ସ ଓ ଟିସୁ, ଗୁରୁତର ମହିଳା’; ଡାକ୍ତରଙ୍କୁ ନୋଟିସ୍
ମହାରାଷ୍ଟ୍ର: ମହାରାଷ୍ଟ୍ରର ବୀଡ୍ ଜିଲ୍ଲା ହସ୍ପିଟାଲରୁ ଚିକିତ୍ସାରେ ଅବହେଳାର ଏକ ଚକିତ କରିଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। ସିଜରିଆନ୍ ଅପରେସନ୍ ସମୟରେ ଜଣେ ୧୯ ବର୍ଷୀୟା ମହିଳାଙ୍କ ପେଟ ଭିତରେ ସର୍ଜିକାଲ୍ ଗ୍ଲୋଭ୍ସ ଓ ପେପର ଟିସୁ ୱାଇପ୍ସ ରହିଯାଇଥିବା ଅଭିଯୋଗ ହୋଇଛି। ଏବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ସନ୍ଧ୍ୟା ସୁରଜ ଗାଏକୱାଡ୍ ଅଗଷ୍ଟ ୧ ତାରିଖରେ ବୀଡ୍ ଜିଲ୍ଲା ହସ୍ପିଟାଲରେ ସିଜରିଆନ୍ ଅପରେସନ୍ କରାଇଥିଲେ ଏବଂ ଚାରି ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା।
ଡିସ୍ଚାର୍ଜ ପରେ ତାଙ୍କର ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ସ୍କାନ୍ କରାଯିବା ପରେ ପେଟ ଭିତରେ କିଛି ବିଦେଶୀ ବସ୍ତୁ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ପୁଣେର ସସୁନ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜରୁରୀକାଳୀନ ଅପରେସନ୍ କରି ଡାକ୍ତରମାନେ ପେଟ ଭିତରୁ ସର୍ଜିକାଲ୍ ଗ୍ଲୋଭ୍ସ ଓ ପେପର ଟିସୁ ୱାଇପ୍ସ ବାହାର କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ମହିଳାଙ୍କ ପରିବାର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ସ୍ୱାମୀ ଚିକିତ୍ସା ଦଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ, ମା’ କହିଛନ୍ତି ଯେ ତାଙ୍କ ଝିଅ ନିଜ ନବଜାତ ଶିଶୁକୁ ଧରିବା ପାଇଁ ମଧ୍ୟ ଶକ୍ତିହୀନ ହୋଇପଡ଼ିଛନ୍ତି।
ଘଟଣାକୁ ନେଇ ମହିଳାଙ୍କ ପରିବାର ପକ୍ଷରୁ ମଙ୍ଗଳବାର ବୀଡ୍ ଜିଲ୍ଲା ହସ୍ପିଟାଲ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ବୀଡ୍ ଜିଲ୍ଲା ସର୍ଜନ ସତୀଶକୁମାର ସୋଲଙ୍କେ ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ, ଅପରେସନ୍ରେ ସାମିଲ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ତଦନ୍ତରେ ସେମାନେ ଦୋଷୀ ପ୍ରମାଣିତ ହେଲେ କଠୋର ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

