ଅଟୋ ଚାଳକଙ୍କ ହିଂସାକାଣ୍ଡ ପରେ ସରକାରଙ୍କ କଡ଼ା ପଦକ୍ଷେପ! କ୍ଷତିପୂରଣ ଆଦାୟ ସହ ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ
ଭୁବନେଶ୍ୱର: ଭୁବନେଶ୍ୱରରେ ବୁଧବାର ଅନଲାଇନ୍ ଅଟୋ ଚାଳକ ସଂଘର ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନ ସମୟରେ ହୋଇଥିବା ସରକାରୀ ସମ୍ପତ୍ତି ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଭରଣା ଦୋଷୀ ଅଟୋ ଚାଳକଙ୍କଠାରୁ ଆଦାୟ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନ ସମୟରେ କିଛି ଅଟୋ ଚାଳକ ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ସହ ସରକାରୀ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏପରି ହିଂସାକାଣ୍ଡକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ଲାଇସେନ୍ସ ରଦ୍ଦ ସହ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହାସହ ହିଂସାକାଣ୍ଡରେ ସମ୍ପୃକ୍ତ ଅଟୋ ଚାଳକମାନେ ବ୍ୟବହାର କରୁଥିବା ବେଆଇନ ଅଟୋ ଷ୍ଟାଣ୍ଡଗୁଡ଼ିକୁ ଭଙ୍ଗାଯିବା ନେଇ ସରକାର ବିଚାର କରୁଥିବା ମନ୍ତ୍ରୀ କହିଛନ୍ତି। ଆନ୍ଦୋଳନ ସମୟରେ ଯେଉଁ କ୍ଷତି ଘଟିଛି, ତାହା ଦୋଷୀଙ୍କଠାରୁ ଆଦାୟ କରାଯିବ। ସାଧାରଣ ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଏବଂ ଆଇନଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ କହିଛନ୍ତି।

