ମାଷ୍ଟରକ୍ୟାଣ୍ଟିନରେ ଅଟୋ ଷ୍ଟାଣ୍ଡ ଭାଙ୍ଗିଲା ପୋଲିସ, ଆନ୍ଦୋଳନରେ ଉତ୍ତେଜନା ଓ ହିଂସାକାଣ୍ଡ ପରେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନ ନାଁରେ ଅନଲାଇନ୍ ଅଟୋ ଚାଳକଙ୍କ ହିଂସାକାଣ୍ଡ ପରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଅଟୋ ସଂଘର ଷ୍ଟାଣ୍ଡକୁ ପୁଲିସ ଭାଙ୍ଗି ଦେଇଛି। ଅଟୋ ରଖାଯାଉଥିବା ପାର୍କିଂ ସ୍ଥଳରେ ଜେସିବି ଲଗାଇ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି।
ବୁଧବାର ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ସମୟରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଉତ୍ତେଜନା ଓ ହିଂସାକାଣ୍ଡ ଘଟିଥିଲା। ଏହାପରେ ଆନ୍ଦୋଳନରେ ସାମିଲ ଥିବା ଅଟୋ ଚାଳକଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। ରାସ୍ତା ଅବରୋଧ, ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ସାଧାରଣ ଲୋକଙ୍କୁ ଆକ୍ରମଣ ଭଳି ଅଭିଯୋଗକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଅଟୋ ପାର୍କିଂ ଓ ଷ୍ଟାଣ୍ଡକୁ ନେଇ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଚର୍ଚ୍ଚା ବଢ଼ିଛି। ଆନ୍ଦୋଳନରେ ହିଂସାକାଣ୍ଡ ଘଟାଇଥିବା ଅଭିଯୋଗରେ ଚିହ୍ନଟ ଅଟୋ ଚାଳକଙ୍କ ବିରୋଧରେ ଆଗକୁ ମଧ୍ୟ କଠୋର ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି।

