Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ କୋଟିରୁ ଅଧିକ ବକେୟା ମାମଲା: ପାରାଦୀପରେ ବିଦେଶୀ ଜାହାଜ ‘MT ୟୁନିଟି’ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ ‘MT ୟୁନିଟି’କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ କୋଟିରୁ ଅଧିକ ଟଙ୍କାର ବକେୟା ଅର୍ଥକୁ ନେଇ ଦାଖଲ ହୋଇଥିବା ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ୍ ଭି. ନରସିଂହ ଏହି ଆଦେଶ ଦେଇଛନ୍ତି। ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ୍ ପକ୍ଷରୁ ଏହି ମାମଲା ଦାଖଲ କରାଯାଇଥିଲା।

ମାମଲା ଅନୁଯାୟୀ, ଜାହାଜର କର୍ମଚାରୀଙ୍କ ବକେୟା ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଣ ବାବଦରେ ସୋଗ୍ଲାସି ଇନସ୍ୟୁରାନ୍ସ ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ଅର୍ଥ ଜାହାଜ ମାଲିକଙ୍କଠାରୁ ପରିଶୋଧ କରିବାକୁ କମ୍ପାନୀ ଦାବି କରିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଜାହାଜ ମାଲିକ ଏହି ଅର୍ଥ ପରିଶୋଧ କରିନଥିବାରୁ କମ୍ପାନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।

ମାମଲାର ଶୁଣାଣି ପରେ ହାଇକୋର୍ଟ ବକେୟା ଅର୍ଥର ଦାବିକୁ ଗ୍ରହଣଯୋଗ୍ୟ ବୋଲି ବିଚାର କରି ଜାହାଜକୁ ଗିରଫ କରିବା ପାଇଁ ଆଦେଶ ଦେଇଛନ୍ତି। ତେବେ ଜାହାଜରେ ଥିବା ମାଲ ସହ ଏହି ମାମଲାର କୌଣସି ସମ୍ପର୍କ ନଥିବାରୁ ମାଲ ଖଲାସ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories