ଗୁଜରାଟରେ ବିଷାକ୍ତ ମଦ ପିଇ ୭ ମୃତ, ୩୦ରୁ ଅଧିକ ଅସୁସ୍ଥ; ୧୨ ଅଟକ
ଗୁଜରାଟ: ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ମଦ ବିକ୍ରି ଓ ବ୍ୟବହାର ଉପରେ କଟକଣା ଥିବା ସତ୍ତ୍ୱେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଓ ରାଜ୍ୟ ମନିଟରିଂ ସେଲ୍ର ତଦନ୍ତ ଜୋରଦାର ହୋଇଛି।
ମଙ୍ଗଳବାର ଭାବନଗରର ସାର୍ ଟି ହସ୍ପିଟାଲରେ ୨୫ ବର୍ଷୀୟ ଉପେନ୍ଦ୍ରସିଂହ ଗୋହିଲଙ୍କ ମୃତ୍ୟୁ ପରେ ଘଟଣାଟି ସାମ୍ନାକୁ ଆସିଥିଲା। ସୂଚନା ଅନୁସାରେ, ରବିବାର ରାତିରେ ଜଣେ ବନ୍ଧୁଙ୍କ ପୁଲିସ ଚାକିରି ହେବା ଖୁସିରେ ଉପେନ୍ଦ୍ରସିଂହ ଦୁଇ ଜଣ ବନ୍ଧୁଙ୍କ ସହ ମଦ ପିଇଥିଲେ। ଏହାପରେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। କେତେକଙ୍କ ନିଶ୍ୱାସ ନେବାରେ ସମସ୍ୟା ହୋଇଥିବା ବେଳେ କିଛି ଲୋକଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪୦ ବର୍ଷୀୟ କାର୍ତ୍ତିକ ମକୱାନା ଓ ୫୦ ବର୍ଷୀୟ ଘନଶ୍ୟାମସିଂହ ଜାଡେଜା ମଧ୍ୟ ଅଛନ୍ତି।
ଘଟଣା ପରେ ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରିକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଅଟକ ରଖିଥିବା ବେଳେ ୨୧ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ରାଜ୍ୟ ମନିଟରିଂ ସେଲ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛି। ଭାବନଗରରେ ହିଁ ବେଆଇନ ଭାବେ ମଦ ପ୍ରସ୍ତୁତ ଓ ବିକ୍ରି ହେଉଥିବା ନେଇ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ବିଷାକ୍ତ ମଦର ଉତ୍ସ ଏବଂ ଏହା ପଛରେ କିଏ ରହିଛି, ସେନେଇ ତଦନ୍ତ ଜାରି ରହିଛି।

