ଗୁଜରାଟରେ ହୃଦୟବିଦାରକ ଘଟଣା: ବସ୍ର ହାଇଡ୍ରୋଲିକ୍ ଗେଟ୍ରେ ବେକ ଫସି ୭ ବର୍ଷର ଶିଶୁର ମୃତ୍ୟୁ
ଗୁଜରାଟ: ଗୁଜରାଟର ଭଦୋଦରାରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏକ ମରାମତି ଗ୍ୟାରେଜ୍ରେ ରଖାଯାଇଥିବା ଏକ ଲକ୍ଜୁରୀ ବସ୍ର ହାଇଡ୍ରୋଲିକ୍ ଗେଟ୍ରେ ବେକ ଫସିଯିବାରୁ ୭ ବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଛି। ସୂର୍ଯ୍ୟନଗର-ତରସାଲି ବାଇପାସ୍ ନିକଟରେ ଥିବା ଗ୍ୟାରେଜ୍ରେ ବସ୍ଟି ମରାମତି ପାଇଁ ରଖାଯାଇଥିଲା। ଘଟଣାର କିଛି ଅଂଶ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିଛି ସମୟର ଫୁଟେଜ୍ ମିଳୁନାହିଁ।
ସିସିଟିଭି ଫୁଟେଜ୍ରେ ଶିଶୁଟି ବସ୍ ନିକଟରେ ଘୁରୁଥିବା ଦେଖାଯାଇଛି। କିଛି ସମୟ ପରେ ସେ ବସ୍ର ହାଇଡ୍ରୋଲିକ୍ ଗେଟ୍ରେ ବେକ ଫସିଥିବା ଅବସ୍ଥାରେ ଝୁଲୁଥିବା ନଜର ଆସିଥିଲା। ତେବେ ଶିଶୁଟି କିପରି ବସ୍ ପାଖକୁ ଗଲା ଏବଂ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲା କି ନାହିଁ, ସେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫୁଟେଜ୍ ରେକର୍ଡ ହୋଇନାହିଁ। ଗ୍ୟାରେଜ୍ ମାଲିକ ନିକୁଞ୍ଜ ପଟେଲଙ୍କ କହିବା ଅନୁସାରେ, ବିଦ୍ୟୁତ୍ ବିଭ୍ରାଟ କିମ୍ବା କୌଣସି ପ୍ରାଯୁକ୍ତିକ ତ୍ରୁଟି ଯୋଗୁଁ ସିସିଟିଭିର ଏହି ଅଂଶ ରେକର୍ଡ ହୋଇନଥାଇପାରେ। ତେବେ ଫୁଟେଜ୍ ନଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ଘଟଣା ସମୟରେ ଗ୍ୟାରେଜ୍ରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା ମାଲିକ ନିକୁଞ୍ଜ ପଟେଲ କହିଛନ୍ତି। ତାଙ୍କ ଭାଇ ଲାଇଭ୍ ସିସିଟିଭି ଫୁଟେଜ୍ ଦେଖୁଥିବା ବେଳେ ଶିଶୁଟିକୁ ଗେଟ୍ରେ ଫସିଥିବା ଦେଖିଥିଲେ। ପରେ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇ ପୁଲିସକୁ ଖବର ଦିଆଯାଇଥିଲା। ଡିସିପି ଜୋନ୍-୩ ଅଭିଷେକ ଗୁପ୍ତାଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଶିଶୁଟି ହାଇଡ୍ରୋଲିକ୍ ଗେଟ୍ ଖୋଲିବାକୁ ଚେଷ୍ଟା କରିବା ସମୟରେ ଫସିଯାଇଥିବା ସନ୍ଦେହ କରାଯାଉଛି। ତଥାପି ପୁଲିସ ସମସ୍ତ ଦିଗରୁ ଘଟଣାର ତଦନ୍ତ କରୁଛି। ମୃତ ଶିଶୁର ବାପା ନିକଟସ୍ଥ ଏକ ଗ୍ୟାରେଜ୍ରେ କାମ କରନ୍ତି। ଘରୁ ବାହାରିବା ସମୟରେ ଶିଶୁଟି ‘ପ୍ରସାଦ ଆଣିବାକୁ ଯାଉଛି’ ବୋଲି କହିଥିଲା। ଏହାପରେ ତା’ର ଆଉ ଘରକୁ ଫେରିବା ହୋଇନଥିଲା। ପୁଲିସ ବସ୍ର ଯାନ୍ତ୍ରିକ ବ୍ୟବସ୍ଥା ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍, ପ୍ରାଯୁକ୍ତିକ ତଥ୍ୟ ଓ ସ୍ଥାନୀୟ ଲୋକଙ୍କ ବୟାନ ଯାଞ୍ଚ କରୁଛି।

