Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକଲବ୍ୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ, ୮୦୦ ଥର ଉଠବସ ପରେ ଛାତ୍ର ଅସୁସ୍ଥ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକର ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରୁ ଛାତ୍ର ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ରାତି ୧୦ଟା ପରେ ହଷ୍ଟେଲରେ ସିନିୟର ଛାତ୍ରମାନେ ଜୁନିୟରଙ୍କୁ ଧମକଚମକ ଦେବା ସହ ମାଡ଼ ମାରୁଥିଲେ। ଏପରିକି ଦୀର୍ଘ ସମୟ ଧରି ଶାରୀରିକ ଦଣ୍ଡ ଦେବା ଏବଂ ବିଭିନ୍ନ କାମ କରାଇବା ଭଳି ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ଅନୁଯାୟୀ, ହଷ୍ଟେଲ ୱାର୍ଡେନ ଚାଲିଯିବା ପରେ ସିନିୟର ଛାତ୍ରମାନେ କବାଟ ଓ ଝରକା ବନ୍ଦ କରି ଜୁନିୟରଙ୍କୁ ବିଭିନ୍ନ କାମ କରିବାକୁ ବାଧ୍ୟ କରୁଥିଲେ। ନିଜ ବାସନ ମଜାଇବା, କପଡ଼ା ଧୋଇବା ସମେତ ଅନ୍ୟାନ୍ୟ କାମ କରାଯାଉଥିବା ଅଭିଯୋଗ ରହିଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ କହିବା ଅନୁସାରେ, ଗତ ୧୩ ତାରିଖରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର କିଛି ଛାତ୍ର ତାଙ୍କୁ ୧ ହଜାର ଥର ଉଠବସ କରିବାକୁ କହିଥିଲେ। ସେ ପ୍ରାୟ ୮୦୦ ଥର ଉଠବସ କରିବା ପରେ ଅସୁସ୍ଥ ହୋଇ ଚେତା ହରାଇଥିବା ଅଭିଯୋଗ କରିଛନ୍ତି।

ଛାତ୍ରଜଣକ ହଷ୍ଟେଲରେ ଘଟୁଥିବା ଘଟଣା ସମ୍ପର୍କରେ ନିଜେ ସବୁ କଥା କହିଛନ୍ତି | ଅନ୍ୟପକ୍ଷରେ, ଛାତ୍ରଙ୍କ ବାପା ବିଦ୍ୟାଳୟର ଶିକ୍ଷକ ଓ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଏଭଳି ଘଟଣା ପାଇଁ ଦାୟୀ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ଯେ, ପ୍ରଶାସନ ଘଟଣା ସମ୍ପର୍କରେ ଅବଗତ ଅଛି ଏବଂ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories