Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧୀଜୀଙ୍କ ୬୮୮ ହସ୍ତଲିଖିତ ବାର୍ତ୍ତାର ଐତିହାସିକ ନିଲାମ! ୧୬.୨୦ କୋଟିରେ ହେଲା ବିକ୍ରି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହସ୍ତଲିଖିତ ୬୮୮ଟି ଦୈନିକ ଚିନ୍ତନ ଓ ବାର୍ତ୍ତାର ଦୁର୍ଲଭ ସଂଗ୍ରହ ‘A Thought for the Day’ ୧୬ କୋଟି ୨୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ମୁମ୍ବାଇର ସାଫ୍ରନଆର୍ଟ ପକ୍ଷରୁ ଆୟୋଜିତ ନିଲାମରେ ଏହି ଐତିହାସିକ ଦସ୍ତାବିଜ ବିକ୍ରି ହୋଇଥିବା ବେଳେ, କୌଣସି ଭାରତୀୟ ଐତିହାସିକ ଦସ୍ତାବିଜ ନିଲାମରେ ବିକ୍ରି ହେବା କ୍ଷେତ୍ରରେ ଏହା ନୂଆ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା, ଏହାକୁ କିଣିଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

ଏହି ୬୮୮ଟି ହସ୍ତଲିଖିତ ବାର୍ତ୍ତା ଗାନ୍ଧୀଜୀ ତାଙ୍କ ଘନିଷ୍ଠ ସହଯୋଗୀ ତଥା ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଟି. ହିଙ୍ଗୋରାନୀଙ୍କ ପାଇଁ ଲେଖିଥିଲେ। ୧୯୪୪ରୁ ୧୯୪୬ ମଧ୍ୟରେ ପ୍ରାୟ ୨୩ ମାସ ଧରି ଗାନ୍ଧୀଜୀ ଏହି ବାର୍ତ୍ତାଗୁଡ଼ିକ ଲେଖିଥିଲେ। ପରେ ଏଗୁଡ଼ିକୁ ‘A Thought for the Day’ ନାମକ ପୁସ୍ତକରେ ସଂକଳନ କରାଯାଇଥିଲା। ସତ୍ୟ, ଅହିଂସା, ଆତ୍ମସଂଯମ, ନିର୍ଭୀକତା, ଧାର୍ମିକ ସମାନତା, ପ୍ରାର୍ଥନା, ସେବା, ସ୍ୱରାଜ ଓ ନୈତିକ ଦାୟିତ୍ୱ ଭଳି ବିଭିନ୍ନ ବିଷୟରେ ଏଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରା ରହିଛି। ବିଶେଷକରି ହିଙ୍ଗୋରାନୀଙ୍କ ପତ୍ନୀ ବିଦ୍ୟାଙ୍କ ମୃତ୍ୟୁ ପରେ ତାଙ୍କୁ ମାନସିକ ସାହସ ଓ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଏହି ଲେଖାଗୁଡ଼ିକ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏହି ନିଲାମରେ ଗାନ୍ଧୀଜୀଙ୍କ ସହ ଜଡ଼ିତ ଅନ୍ୟାନ୍ୟ ଦୁର୍ଲଭ ସାମଗ୍ରୀ ମଧ୍ୟ ବିକ୍ରି ହୋଇଛି। ‘Message on God’ ୧ କୋଟି ୬୮ ଲକ୍ଷ ଟଙ୍କାରେ, ଗାନ୍ଧୀଜୀଙ୍କ ପେଟି ଚରଖା ସହ ଦୁଇଟି ଚିଠି ୧ କୋଟି ୨ ଲକ୍ଷ ଟଙ୍କାରେ ଏବଂ ତାଙ୍କର ଏକ ହସ୍ତାକ୍ଷରିତ ଫଟୋ ୭୮ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ମୋଟ ୮୬ଟି ଲଟ୍‌ରେ ଚିଠି, ହସ୍ତଲିଖିତ ପାଣ୍ଡୁଲିପି, ଫଟୋଗ୍ରାଫ୍‌ ଓ ବ୍ୟକ୍ତିଗତ ସାମଗ୍ରୀ ସାମିଲ ଥିଲା। ସାଫ୍ରନଆର୍ଟ ଅନୁଯାୟୀ, ୬୮୮ଟି ହସ୍ତଲିଖିତ ବାର୍ତ୍ତାର କ୍ରେତା ଜଣେ ଭାରତୀୟ ଏବଂ ଏହି ଐତିହାସିକ ପାଣ୍ଡୁଲିପି ଭାରତରେ ହିଁ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories