‘ବନ୍ଦେ ମାତରମ୍’କୁ ନେଇ କଙ୍ଗନା-ଶର୍ମିଳା ମଧ୍ୟରେ ତୀବ୍ର ହୋଇଛି ବିବାଦ!
ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’କୁ ନେଇ ବଲିଉଡ୍ରେ ମତଭେଦ ତୀବ୍ର ହୋଇଛି। ଭେଟେରାନ୍ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ମନ୍ତବ୍ୟକୁ ନେଇ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି। ଶର୍ମିଳାଙ୍କ ମତକୁ ସମ୍ମାନ କରୁଥିବା କହିଥିଲେ ମଧ୍ୟ, ‘ବନ୍ଦେ ମାତରମ୍’କୁ କେବଳ ଧାର୍ମିକ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ ବୋଲି କଙ୍ଗନା ଯୁକ୍ତି ଦେଇଛନ୍ତି।
ସୂଚନା ଅନୁସାରେ, ଶର୍ମିଳା ଟାଗୋର ‘ବନ୍ଦେ ମାତରମ୍’ର କେବଳ ପ୍ରଥମ ଦୁଇଟି ପଦକୁ ରଖିବା ସପକ୍ଷରେ ମତ ଦେଇଥିଲେ। ପରବର୍ତ୍ତୀ ପଦଗୁଡ଼ିକରେ ଦୁର୍ଗା ଓ କାଳୀଙ୍କ ଭଳି ହିନ୍ଦୁ ଦେବୀଙ୍କ ଉଲ୍ଲେଖ ଥିବାରୁ ଏକେଶ୍ୱରବାଦରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ସେହି ଅଂଶଗୁଡ଼ିକ ଗ୍ରହଣ କରିବା କଷ୍ଟକର ହୋଇପାରେ ବୋଲି ସେ କହିଥିଲେ। ସମସ୍ତ ଧର୍ମର ଲୋକଙ୍କୁ ଧ୍ୟାନରେ ରଖିଲେ ପ୍ରଥମ ଦୁଇଟି ପଦ ଅଧିକ ସର୍ବଗ୍ରାହ୍ୟ ହୋଇପାରେ ବୋଲି ମଧ୍ୟ ଶର୍ମିଳା ମତ ଦେଇଥିଲେ।
ଏହାପରେ କଙ୍ଗନା ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଶର୍ମିଳାଙ୍କ ଇଣ୍ଟରଭ୍ୟୁ ଭିଡିଓ ସେୟାର କରି ନିଜ ମତ ରଖିଥିଲେ। କଙ୍ଗନାଙ୍କ ଅନୁସାରେ, କବିତା ଓ କଳାରେ ବ୍ୟବହୃତ ପ୍ରତୀକ ଓ ଉପମାକୁ ସବୁବେଳେ ଧାର୍ମିକ ଅର୍ଥରେ ନେବା ଠିକ୍ ନୁହେଁ। ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଏକ ଜାତୀୟ ଜାଗରଣର ପ୍ରତୀକ ବୋଲି ସେ କହିଛନ୍ତି। ଏହି ବିତର୍କ ମଧ୍ୟରେ ଅଭିନେତା ମୁକେଶ ଖାନ୍ନା ମଧ୍ୟ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ ମତ ଦେଇଛନ୍ତି। ତେବେ ‘ଜନ ଗଣ ମନ’ ଭାରତର ଜାତୀୟ ସଙ୍ଗୀତ ଏବଂ ‘ବନ୍ଦେ ମାତରମ୍’ ଜାତୀୟ ଗୀତ ଭାବେ ମାନ୍ୟତାପ୍ରାପ୍ତ।

