ବୃଦ୍ଧଙ୍କ ସହ ବିବାହ ପାଇଁ ୩ ଲକ୍ଷରେ ବିକ୍ରି ଉଦ୍ୟମ! ବିରୋଧ କରିବାରୁ ଯୁବତୀଙ୍କୁ ଫୁଟନ୍ତା ପାଣିରେ ପୋଡ଼ିବା ଅଭିଯୋଗ
ଫରିଦାବାଦ: ଫରିଦାବାଦରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ବୃଦ୍ଧ ବ୍ୟକ୍ତିଙ୍କ ସହ ବିବାହ କରାଇବା ପାଇଁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ଫୁଟନ୍ତା ପାଣି ଢାଳି ପୋଡ଼ିବା ସହ ଏକ ସ୍ଥାନରେ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୧୬ ତାରିଖ ପାଖାପାଖି ଏହି ନିର୍ଯାତନା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ନିକଟରେ ବିବାହ ବିଚ୍ଛେଦ ପରେ ଯୁବତୀ ଜଣକ ପଡ଼ୋଶୀ ଧର୍ମେନ୍ଦ୍ର ଓ ଲଳିତାଙ୍କ ଘରେ ରହୁଥିଲେ। ଅଭିଯୋଗ ଅନୁଯାୟୀ, ସେମାନେ ଜଣେ ବୃଦ୍ଧଙ୍କ ସହ ଯୁବତୀଙ୍କ ବିବାହ କରାଇବା ପାଇଁ ୩ ଲକ୍ଷ ଟଙ୍କାରେ ତାଙ୍କୁ ଦେବାକୁ ଯୋଜନା କରିଥିଲେ। ଯୁବତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ଫୁଟନ୍ତା ପାଣିରେ ପୋଡ଼ାଯାଇଥିବା ଅଭିଯୋଗ ରହିଛି। ଏଥିରେ ତାଙ୍କ ଶରୀରରେ ଗୁରୁତର ପୋଡ଼ା ଆଘାତ ହୋଇଛି।
ଅଗଷ୍ଟ ୧୯ ତାରିଖରେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

