ଓଡ଼ିଆ ସଙ୍ଗୀତ ଜଗତରେ ଶୋକ, ୮୮ ବର୍ଷ ବୟସରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଦୁଃଖଦ ଖବର। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ସହ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ପ୍ରଣବ ପଟ୍ଟନାୟକ ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀ ପାଇଁ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ। ‘ମାଝିରେ ଠୁ’ ଠାରୁ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା। ଦୀର୍ଘ ବର୍ଷ ଧରି ତାଙ୍କ ସୁରିଲା କଣ୍ଠ ଶ୍ରୋତାଙ୍କୁ ମନୋରଞ୍ଜନ ଦେବା ସହ ଓଡ଼ିଆ ସଙ୍ଗୀତରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା।
ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଜଣେ ଅମୂଲ୍ୟ କଳାକାରଙ୍କୁ ହରାଇଛି। ତାଙ୍କ ଗୀତ, କଣ୍ଠ ଓ ସଙ୍ଗୀତ ପ୍ରତି ଅବଦାନ ସବୁଦିନ ପାଇଁ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ। ପ୍ରଣବ ପଟ୍ଟନାୟକଙ୍କ ପରଲୋକରେ କଳା ଓ ସଙ୍ଗୀତ ଜଗତର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କ ଅମର କଳାକୃତିକୁ ସ୍ମରଣ କରିଛନ୍ତି।

