ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ପାଇଁ ଅନୁମତି ଦେଲେନି କେନ୍ଦ୍ର ସରକାର!
ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ ହୋଇଛି। କେନ୍ଦ୍ର ସରକାର ଆମେରିକା ଗସ୍ତ ପାଇଁ ଅନୁମତି ନଦେବାରୁ ଏହି ଗସ୍ତ ବାତିଲ କରାଯାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ରେଭନ୍ଥ ରେଡ୍ଡୀ ବର୍ତ୍ତମାନ ଲଣ୍ଡନ ଗସ୍ତରେ ଥିବା ବେଳେ ଅଗଷ୍ଟ ୨୩ରେ ଲଣ୍ଡନରୁ ହାଇଦ୍ରାବାଦ ଫେରିବେ। ଏହା ପୂର୍ବରୁ ସେ ଆମେରିକାର ବୋଷ୍ଟନ ଯିବା ସହ ଅଗଷ୍ଟ ୩୦ରେ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ତେଲଙ୍ଗାନା ରାଇଜିଂ’ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବାର ଥିଲା। ଶିକ୍ଷା, ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସହ ଚୁକ୍ତି ଓ ସହଭାଗିତା ସ୍ଥାପନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ‘ରାଜନୈତିକ ଦୃଷ୍ଟିକୋଣରୁ କ୍ଲିୟରାନ୍ସ’ ନମିଳିବାରୁ ଗସ୍ତକୁ ବାତିଲ କରିବାକୁ ପଡ଼ିଥିବା ତେଲଙ୍ଗାନା ସିଏମ୍ଓ ପକ୍ଷରୁ କୁହାଯାଇଛି। ରେଡ୍ଡୀ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ମଧ୍ୟ କେନ୍ଦ୍ରର ନିଷ୍ପତ୍ତିକୁ ମାନି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଧିକାରୀମାନେ ଆମେରିକା ଗସ୍ତ କରି ପ୍ରସ୍ତାବିତ ବୁଝାମଣାପତ୍ର ଓ ସହଭାଗିତା ଚୁକ୍ତିଗୁଡ଼ିକୁ ଆଗେଇ ନେବେ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ରେଭନ୍ଥ ରେଡ୍ଡୀ ଲଣ୍ଡନରେ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବେ। ସେ ଅକ୍ସଫୋର୍ଡ, କେମ୍ବ୍ରିଜ, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ, ଲଣ୍ଡନ ବିଜନେସ୍ ସ୍କୁଲ ଓ ୟୁନିଭର୍ସିଟି ଅଫ୍ ଲଣ୍ଡନ ସହ ଆଲୋଚନା କରିବେ। ହାଇଦ୍ରାବାଦକୁ ବିଶ୍ୱସ୍ତରୀୟ ଶିକ୍ଷା ଓ ଦକ୍ଷତା ବିକାଶର କେନ୍ଦ୍ରରେ ପରିଣତ କରିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ରେଡ୍ଡୀ କହିଛନ୍ତି। ଏହାସହ ବ୍ରିଟେନର ପ୍ରମୁଖ କ୍ରୀଡ଼ା ଓ ସ୍କିଲିଂ ସଂସ୍ଥା ସହ ମଧ୍ୟ ଆଲୋଚନା କରି ତେଲଙ୍ଗାନା ସହ ସହଭାଗିତା ସ୍ଥାପନ ପାଇଁ ପ୍ରୟାସ କରିବେ ବୋଲି ସିଏମ୍ଓ ପକ୍ଷରୁ କୁହାଯାଇଛି।

