ଇମ୍ରାନ ଖାନଙ୍କୁ ନେଇ ପାକିସ୍ତାନରେ ଚର୍ଚ୍ଚା, ହସ୍ପିଟାଲରୁ ପୁଣି ଆଦିଆଲା ଜେଲ୍ ଫେରିଲେ
ନୂଆଦିଲ୍ଲୀ: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଅସୁସ୍ଥତା କାରଣରୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଇମ୍ରାନଙ୍କୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ଆଦିଆଲା ଜେଲ୍କୁ ନିଆଯାଇଛି। ହସ୍ପିଟାଲରେ ୬ ଜଣ ବିଶେଷଜ୍ଞ ଡାକ୍ତର ତାଙ୍କର ଚିକିତ୍ସା ଓ ଚେକ୍ଅପ୍ କରିଥିବା ଜଣାପଡ଼ିଛି।
ଜେଲ୍ରେ ଥିବା ସମୟରେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରିଥିଲେ ଏବଂ ପରୀକ୍ଷା ପରେ ତାଙ୍କୁ ପୁଣି ଜେଲ୍ ପଠାଯାଇଛି। ଏହାରି ମଧ୍ୟରେ ଅଗଷ୍ଟ ୧୯ ତାରିଖରେ ଇମ୍ରାନ ତାଙ୍କ ପତ୍ନୀ ବୁଶରା ବିବି ଓ ଭଉଣୀ ନୋରିନ ନିଆଜିଙ୍କୁ ଭେଟିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୯ ମାସ ପରେ ସେ ଉଭୟଙ୍କୁ ଭେଟିବାର ସୁଯୋଗ ପାଇଥିବା କୁହାଯାଇଛି।
ବିଭିନ୍ନ ମାମଲାରେ ଜଡ଼ିତ ହୋଇ ଇମ୍ରାନ ଖାନ ୩ ବର୍ଷରୁ ଅଧିକ ସମୟ ଧରି ଜେଲ୍ରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ରଖିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ବୋର୍ଡ ଗଠନ ନିର୍ଦ୍ଦେଶ ଦେଇଥିଲେ। ଏହି ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ତାଙ୍କ ଭଉଣୀ ଡାକ୍ତର ଆଲିମା ଖାନଙ୍କୁ ସାମିଲ କରିବାକୁ ମଧ୍ୟ କୁହାଯାଇଥିଲା। ଏବେ ହସ୍ପିଟାଲରୁ ପୁଣି ଜେଲ୍କୁ ଫେରାଇ ନିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଓ ଆଗାମୀ ଚିକିତ୍ସାକୁ ନେଇ ଚର୍ଚ୍ଚା ଜାରି ରହିଛି।

