ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ବୟସ ମଧ୍ୟରେ କେତେ ବ୍ୟବଧାନ ରହିବା ଉଚିତ ? ରିସର୍ଚ୍ଚରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ
ବିବାହିତ ଜୀବନକୁ ଖୁସି ଓ ଦୀର୍ଘସ୍ଥାୟୀ କରିବା ପାଇଁ ଭଲପାଇବା ସହ ପରସ୍ପର ବୁଝାମଣା, ବିଶ୍ୱାସ ଓ ସମ୍ମାନ ଜରୁରୀ। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ମଧ୍ୟ ବିବାହିତ ଜୀବନ ଉପରେ ପ୍ରଭାବ ପକାଏ କି? ଏହାକୁ ନେଇ ବିଭିନ୍ନ ସମୟରେ ଅଧ୍ୟୟନ କରାଯାଇଛି। କେତେକ ଅଧ୍ୟୟନରେ ଦମ୍ପତିଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କମ୍ ଥିଲେ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିବାର ସମ୍ଭାବନା ଅଧିକ ବୋଲି ଦେଖାଯାଇଛି।
କିଛି ରିସର୍ଚ୍ଚ ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ବୟସ ମଧ୍ୟରେ ଅଧିକ ପାର୍ଥକ୍ୟ ଥିଲେ ସେମାନଙ୍କ ଜୀବନଶୈଳୀ, ରୁଚି ଓ ଭବିଷ୍ୟତ ଯୋଜନାରେ ପାର୍ଥକ୍ୟ ହୋଇପାରେ। ବିଶେଷକରି ୬ରୁ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ବ୍ୟବଧାନ ଥିବା କିଛି ଦମ୍ପତିଙ୍କ ମଧ୍ୟରେ ବିବାହିତ ଜୀବନରେ ଖୁସି ତୁଳନାମୂଳକ ଭାବେ କମ୍ ଥିବା ଦେଖାଯାଇଛି। ଅନ୍ୟପଟେ, ସମାନ ବୟସ କିମ୍ବା ୦ରୁ ୩ ବର୍ଷ ପର୍ଯ୍ୟନ୍ତ ବୟସ ବ୍ୟବଧାନ ଥିବା ଦମ୍ପତିଙ୍କ ମଧ୍ୟରେ ଜୀବନଶୈଳୀ ଓ ରୁଚିରେ ଅଧିକ ସମନ୍ୱୟ ରହିବାର ସମ୍ଭାବନା ଥାଏ।
ତେବେ ବିବାହିତ ଜୀବନର ଖୁସି କେବଳ ବୟସ ବ୍ୟବଧାନ ଉପରେ ନିର୍ଭର କରେ ନାହିଁ। ପରସ୍ପର ପ୍ରତି ସମ୍ମାନ, ଭଲ ଯୋଗାଯୋଗ, ବିଶ୍ୱାସ, ଦାୟିତ୍ୱବୋଧ, ଆର୍ଥିକ ବୁଝାମଣା ଏବଂ ଭବିଷ୍ୟତ ଲକ୍ଷ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତ ଦମ୍ପତିଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ବ୍ୟବଧାନକୁ ସୁଖୀ ବିବାହର ନିୟମ ବୋଲି କୁହାଯାଇପାରିବ ନାହିଁ। ପରସ୍ପରକୁ ବୁଝିବା ଓ ସମ୍ମାନ କରିବା ହିଁ ଭଲ ବିବାହିତ ଜୀବନର ମୁଖ୍ୟ ଆଧାର।

