Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିଷ ବାଘ ଲୋକ ନୃତ୍ୟ ପାଇଁ ଭାରତୀୟ ଏକକ ଉକୃଷ୍ଟତା ପୁରସ୍କାର ପାଇବେ ମହେନ୍ଦ୍ର

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ସମ୍ପୁର୍ଣ୍ଣ ନିଆରା ।ଏହି ଜିଲ୍ଲାର ବିଭିନ୍ନ କୁଟୀର ଶିଳ୍ପ,ଲୋକ ନୃତ୍ୟ, ପରମ୍ପରା ଆଜି ବିଶ୍ବବିଦିତ । କିଛି ଲୋକନୃତ୍ୟ ଆତ୍ମଗୋପନ କରିଥିବା ବେଳେ ଆଉ କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ଲୋକ ନୃତ୍ୟ ଆଜି ବିଶ୍ୱରେ ଏହାର ଚମକ ଜାରି ରଖିଛି । ଗଞ୍ଜାମ ଜିଲ୍ଲାର ଯୋଡି ଶଙ୍ଖ,ରଣପା, ମଣିଷ ବାଘ ନୃତ୍ୟ ଇତ୍ୟାଦି ବିଭିନ୍ନ ଉତ୍ସବ, ମହୋତ୍ସବ,ଯାନି ଯାତ୍ରାରେ ଆଜି ମଧ୍ୟ ପରିବେଷଣ କରାଯାଉଛି ।ଏଥି ମଧ୍ୟରୁ ମଣିଷ ବାଘ ଲୋକ ନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ ।ଏହି ନୃତ୍ୟକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଯେଉଁ କିଛି ବ୍ୟକ୍ତିଙ୍କ ଚେଷ୍ଟା ଆଜି ଜାରି ରହିଛି ସେମାନଙ୍କ ମଧ୍ୟରୁ ବେଲଗୁଣ୍ଠା ସଙ୍ଗୀତ ଶିରୋମଣି ତଥା ବିଶିଷ୍ଟ କଳାକାର ସ୍ୱର୍ଗତ ବିଜୟ କୁମାର ପାତ୍ରଙ୍କ ସୁପୁତ୍ର ଚିନଂ ମହେନ୍ଦ୍ର କୁମାର ପାତ୍ର । ବିଭିନ୍ନ ମହୋତ୍ସବରେ ନିଜେ ଗଠନ କରିଥିବା ତରୁଣ କଳାକାର ସଂଘ ପକ୍ଷରୁ ମଣିଷ ବାଘ ନୃତ୍ୟ ପରିବେଷଣ କରି ସାଉଁଟି ଛନ୍ତି ଅଜସ୍ର ପ୍ରଶଂସା । ବିଶେଷ କରି ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ବେଳେ ମାନସିକ ଧାରୀ ମାନେ ଏହି ବେଶ ଧାରଣ କରିଥାନ୍ତି । କିନ୍ତୁ ଏହି ନୃତ୍ୟର ନିଆରା ଶୈଳୀ କୁ ଯିଏ ଥରେ ଦେଖିଛି ସେ ଏହାକୁ ଅତି ଚମତ୍କାର ବର୍ଣ୍ଣନା କରିଛି । ତେଣୁ ଏହି ନୃତ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ମହେନ୍ଦ୍ରଙ୍କ ଏହି ପ୍ରୟାସକୁ ଅନେକ କଳାପ୍ରେମୀ ଉଚ୍ଚ ପ୍ରଶଂସା କରିଛନ୍ତି ।ହକି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ, ଗୋପାଳପୁର ବେଳାଭୂମି ମହୋତ୍ସବ, ବେଙ୍ଗାଳୁରୁ, ଭୁବନେଶ୍ୱର ଆଦି ବହୁ ସ୍ଥାନରେ ମହେନ୍ଦ୍ର ମଣିଷ ବାଘ ନାଚ ପରିବେଷଣ କରି ସମ୍ବର୍ଦ୍ଧିତ ହୋଇଛନ୍ତି । ବେଲଗୁଣ୍ଠାର ବାଘ ନାଚ,ବେଶ ଓ ଚାଙ୍ଗୁ ତାଳ ସମ୍ପୁର୍ଣ୍ଣ ନିଆରା ଅଟେ । ମହେନ୍ଦ୍ରଙ୍କ ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡି ହେବା ପାଇଁ ଯାଉଛି । ଲୋକନୃତ୍ୟ କଳାକାରର ଭାବେ ଭାରତୀୟ ଏକକ ଉତ୍କୃଷ୍ଟତା ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି । ଆସନ୍ତା ୧୧ ତାରିଖ ଭୁବନେଶ୍ୱରର ପାନ୍ଥ ନିବାସ ଠାରେ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଜଣାପଡିଛି ।ଏହି ଖବର ପ୍ରଚାରିତ ହେବା ପରେ ମହେନ୍ଦ୍ରଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।ବାଘ ନୃତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରତିଶ୍ରୁତିବଦ୍ଧ ହେବା ସହିତ ମାଁ ବ୍ରାହ୍ମଣ ଦେବୀ,ଏହି ନୃତ୍ୟର ସ୍ରଷ୍ଟା ସ୍ୱର୍ଗତ ଗୁରୁ ଭାଗିରଥି ନାୟକ,ନିଜ ପିତା ସ୍ୱର୍ଗତ ବିଜୟ କୁମାର ପାତ୍ରଙ୍କ ଆଶିର୍ବାଦ ଓ ବେଲଗୁଣ୍ଠା ବାସୀଙ୍କ ପ୍ରୋତ୍ସାହନ ପାଇଁ ଏହା ସମ୍ଭବ ହୋଇଛି ବୋଲି ମହେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories