Reservation ଦାନ ନୁହେଁ, ସାମ୍ବିଧାନିକ ଅଧିକାର: Jantar Mantar ବିରୋଧ ପରେ Chirag Paswanଙ୍କ ବଡ଼ ବୟାନ
କାହାର ଦାବି କିମ୍ବା ଚାପରେ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି। ଶୁକ୍ରବାର ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଛନ୍ତି, ସଂରକ୍ଷଣ କୌଣସି ଦାନ କିମ୍ବା କୃପା ନୁହେଁ, ଏହା ସମ୍ବିଧାନ ପ୍ରଦତ୍ତ ଅଧିକାର। ଜନ୍ତରମନ୍ତରରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମ୍ପର୍କରେ ପଚରାଯିବାରୁ ପାସୱାନ କହିଛନ୍ତି, କାହାର ଦାବି ଅନୁସାରେ ଏହାକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ।
ପାସୱାନ କହିଛନ୍ତି ଯେ ଦୀର୍ଘ ସମୟ ଧରି ସାମାଜିକ ବିଭେଦ ଓ ଅତ୍ୟାଚାରର ଶିକାର ହୋଇଥିବା ସମାଜର କିଛି ବର୍ଗଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉନ୍ନତି ପାଇଁ ସମ୍ବିଧାନରେ ଏହି ବ୍ୟବସ୍ଥା କରାଯାଇଛି। ସମାଜରେ ଏବେ ବି ସାମାଜିକ ବିଭେଦର ଘଟଣା ସାମ୍ନାକୁ ଆସୁଥିବାରୁ ସାମାଜିକ ନ୍ୟାୟକୁ ନେଇ ଆଲୋଚନା ଜାରି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସଂରକ୍ଷଣକୁ ନେଇ ଆନ୍ଦୋଳନକାରୀଙ୍କ ଆଶଙ୍କା ଓ ପ୍ରଶ୍ନ ଉପରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ପାସୱାନ କହିବା ସହ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା ଦ୍ୱାରା ସଂରକ୍ଷଣର ଉଦ୍ଦେଶ୍ୟ ବୁଝାଇବା ସମ୍ଭବ ବୋଲି କହିଛନ୍ତି।
ଏହାସହ ବିହାରର ଅର୍ଥନୈତିକ ସ୍ଥିତିକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମନ୍ତବ୍ୟର ମଧ୍ୟ ଜବାବ ଦେଇଛନ୍ତି ଚିରାଗ। ବିହାର ବିଧାନସଭା ଚାଲିଥିବା ସମୟରେ ବିରୋଧୀ ଦଳ ତଥ୍ୟ ଓ ପ୍ରମାଣ ସହ ନିଜର ଆପତ୍ତି ଉଠାଇବା ଉଚିତ ଥିଲା ବୋଲି ସେ କହିଛନ୍ତି। କେବଳ ସରକାରଙ୍କ ଉପରେ ଅଭିଯୋଗ ଲଗାଇବା ନୁହେଁ, ବିହାରର ବିକାଶ ପାଇଁ ସରକାରଙ୍କ ସହ ମିଶି କାମ କରିବା ମଧ୍ୟ ବିରୋଧୀଙ୍କ ଦାୟିତ୍ୱ ବୋଲି ପାସୱାନ କହିଛନ୍ତି। ରାଜ୍ୟର ରାଜସ୍ୱ ବୃଦ୍ଧି, ନିବେଶ ଆକର୍ଷଣ, ରୋଜଗାର ସୃଷ୍ଟି ଓ ବିକାଶକୁ ଗତି ଦେବା ଦିଗରେ ସରକାର କାମ କରୁଥିବା ସେ କହିବା ସହ କେନ୍ଦ୍ର ଓ ରାଜ୍ୟରେ ଥିବା ‘ଡବଲ୍ ଇଞ୍ଜିନ୍’ ସରକାର ବିହାରର ଅର୍ଥନୈତିକ ଉନ୍ନତିକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

