Delhi-NCR Rain: ବର୍ଷାରେ ବେହାଲ ରାଜଧାନୀ, 390ରୁ ଅଧିକ Flights Delay; 26 Cancelled
ସୋମବାର ପ୍ରବଳ ବର୍ଷା ଓ ଜୋର ପବନ ଯୋଗୁଁ ଦିଲ୍ଲୀ-NCRରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଜମିବା ସହ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ବର୍ଷାର ପ୍ରଭାବ ବିମାନ ସେବା ଉପରେ ମଧ୍ୟ ପଡ଼ିଛି। FlightRadar24 ଅନୁସାରେ ପ୍ରାୟ ୪୦୦ ବିମାନ ବିଳମ୍ବିତ ହୋଇଥିବା ବେଳେ ୨୬ଟି ବିମାନ ବାତିଲ୍ ହୋଇଛି ଏବଂ ୧୫ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଛି। ଦିଲ୍ଲୀ ସମେତ ନୋଏଡା ଓ ଗାଜିଆବାଦରେ ମଧ୍ୟ ଜଳବନ୍ଦୀ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।
ପ୍ରବଳ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ ଓ ଫରିଦାବାଦ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୨୫ ତାରିଖରେ ଅଫିସ୍, ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀଙ୍କୁ ସମ୍ଭବ ହେଲେ Work From Home କରିବାକୁ ଗୁରୁଗ୍ରାମ ପ୍ରଶାସନ ପରାମର୍ଶ ଦେଇଛି। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ-NCR ଓ ଏହାର ଆଖପାଖ ଅଞ୍ଚଳରେ ଆହୁରି ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି। ଏହାସହ ଉତ୍ତରାଖଣ୍ଡ, ଓଡ଼ିଶା ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି।
ଗୁରୁଗ୍ରାମର ଇସଲାମପୁର ଗାଁ ନିକଟ ସୋହନା ରୋଡ୍ର ସର୍ଭିସ୍ ଲେନ୍ରେ ପ୍ରାୟ ଦୁଇ ଫୁଟ୍ ପାଣି ଜମିବାରୁ ଯାତାୟାତ ବ୍ୟାହତ ହୋଇଛି। ଏଠାରେ ପ୍ରାୟ ୪ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା ଏବଂ ଯାନବାହନ ଧୀର ଗତିରେ ଚାଲିଥିଲା। ଅନ୍ୟପକ୍ଷରେ ଇଣ୍ଡିଆ ଗେଟ୍ ଅଞ୍ଚଳରେ ପ୍ରବଳ ବର୍ଷା ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ବର୍ଷା ଯୋଗୁଁ ରାଜଧାନୀର ପ୍ରମୁଖ ରାସ୍ତା ଓ ଇଣ୍ଡିଆ ଗେଟ୍ ପରିସର ଭିଜିଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି।

