Nepal Floods: ନେପାଳରେ ଭୟଙ୍କର ବନ୍ୟା, ପ୍ରାୟ ୩୦୦ ଭାରତୀୟ ନିଖୋଜ; ୧୬୦ରୁ ଅଧିକ ମୃତ
ନୂଆଦିଲ୍ଲୀ:ନେପାଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ନେପାଳର ବିଦେଶମନ୍ତ୍ରୀ ଶିଶିର ଖାନାଲଙ୍କ ସୂଚନା ଅନୁସାରେ, ରସୁୱା ଅଞ୍ଚଳରେ ବନ୍ୟା ଯୋଗୁଁ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଛି | ନିଖୋଜଙ୍କ ମଧ୍ୟରେ ପ୍ରାୟ ୩୦୦ ଭାରତୀୟ ନାଗରିକ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୈଳାସ-ମାନସରୋବର ଯାତ୍ରାରେ ଯାଇଥିବା ତୀର୍ଥଯାତ୍ରୀ ବୋଲି କୁହାଯାଇଛି।
ବିଦେଶମନ୍ତ୍ରୀଙ୍କ କହିବା ଅନୁସାରେ, ବନ୍ୟାରେ ଅନେକ ଜନବସତି ଅଳ୍ପ ସମୟ ମଧ୍ୟରେ ଧ୍ୱଂସ ହୋଇଯାଇଛି ଏବଂ ଅନେକ ପରିବାର ଘରହୀନ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ବିଦେଶୀ ନାଗରିକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ନେପାଳ ସରକାର ସୂଚନା ଦେଇଛନ୍ତି। ନିଖୋଜ ବିଦେଶୀ ନାଗରିକଙ୍କ ସୁରକ୍ଷା ନେଇ ନେପାଳ ସରକାର ବିଭିନ୍ନ ଦେଶର ଦୂତାବାସ ସହ ନିରନ୍ତର ସମ୍ପର୍କରେ ରହିଛି। ଏପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ନେପାଳୀ ସେନା ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି।
ଏହି ବିପର୍ଯ୍ୟୟକୁ ସମ୍ପ୍ରତି ନେପାଳରେ ଘଟିଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରାଯାଉଛି। ବର୍ତ୍ତମାନ ନେପାଳ ସରକାରର ପ୍ରଥମ ପ୍ରାଥମିକତା ହେଉଛି ନିଖୋଜ ଲୋକଙ୍କୁ ଖୋଜିବା, ଆହତଙ୍କୁ ଚିକିତ୍ସା ଯୋଗାଇବା ଓ ପ୍ରଭାବିତ ପରିବାରଙ୍କ ପାଖରେ ତୁରନ୍ତ ରିଲିଫ୍ ପହଞ୍ଚାଇବା। ଭାରତ ପକ୍ଷରୁ ମଧ୍ୟ ନେପାଳକୁ ସହାୟତା ପଠାଯାଇଥିବା ନେପାଳ ବିଦେଶମନ୍ତ୍ରୀ ସ୍ୱୀକାର କରି କୃତଜ୍ଞତା ଜଣାଇଛନ୍ତି। ତେବେ ନିଖୋଜଙ୍କ ପ୍ରକୃତ ସଂଖ୍ୟା ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଆଗକୁ ବଢ଼ିବା ପରେ ସ୍ପଷ୍ଟ ହେବ।

