Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BJP Odisha Politics: ବିଜେପିରେ ସବୁ ଠିକ୍ ଅଛି ତ? ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ନେତାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଏକଦା ବିଜେଡିରେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିବା ଅନେକ ନେତା ୨୦୨୪ ନିର୍ବାଚନ ପୂର୍ବରୁ ଓ ପରେ ଶଙ୍ଖ ଛାଡ଼ି ପଦ୍ମ ଶିବିରରେ ସାମିଲ ହୋଇଥିଲେ। ବିଜେଡି ନେତୃତ୍ୱ ଓ ସେତେବେଳର କ୍ଷମତାକେନ୍ଦ୍ରକୁ ସମାଲୋଚନା କରି ଅନେକ ନେତା ବିଜେପିକୁ ନିଜର ନୂଆ ରାଜନୈତିକ ଠିକଣା ଭାବେ ବାଛିଥିଲେ। ତେବେ ଏବେ କିଛି ନେତାଙ୍କ ମନରେ ସରକାର ଓ ସଂଗଠନକୁ ନେଇ ଅସନ୍ତୋଷ ରହିଛି କି? ଏନେଇ ସେମାନଙ୍କ ବୟାନ, ଚିଠି ଓ ସୋସିଆଲ ମିଡିଆ ପୋଷ୍ଟରୁ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଚର୍ଚ୍ଚାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାମ ମଧ୍ୟ ଆସୁଛି। ଏକଦା ବିଜେଡିର ଜଣେ ପ୍ରମୁଖ ହେଭିୱେଟ୍ ନେତା ଭାବେ ପରିଚିତ ଥିଲେ ପ୍ରଦୀପ ପାଣିଗ୍ରାହୀ | କିନ୍ତୁ ପରବର୍ତ୍ତୀ ସମୟରେ ସେ ଦଳରୁ ବହିଷ୍କୃତ ହୋଇଥିଲେ ଏବଂ ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ଟିକେଟରେ ଲଢ଼ି ସେ ବ୍ରହ୍ମପୁରରୁ ସାଂସଦ ନିର୍ବାଚିତ ହୋଇଥିଲେ। କିନ୍ତୁ ନିକଟ ଅତୀତରେ ଦକ୍ଷିଣ ଓଡ଼ିଶାର ବିକାଶ ଓ ଅବହେଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଚିଠି ଏବଂ କିଛି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ଅସନ୍ତୋଷ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।

ନିମାପଡ଼ାର ବରିଷ୍ଠ ନେତା ସମୀର ଦାଶଙ୍କୁ ନେଇ ମଧ୍ୟ ସମାନ ଚର୍ଚ୍ଚା ଚାଲିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସମୀର ଦାଶଙ୍କ ମଧ୍ୟରେ ରାଜନୈତିକ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦଳୀୟ ନେତୃତ୍ୱ ପକ୍ଷରୁ ପରିସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ ହେଉଥିବା ସତ୍ତ୍ୱେ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ନିମାପଡ଼ା ରାଜନୀତିକୁ ଅଧିକ ରୋଚକ କରିଛି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ରାଜନୈତିକ ସମୀକରଣ କେଉଁ ଦିଗକୁ ଯିବ, ତାହା ଉପରେ ସଭିଙ୍କ ନଜର ରହିଛି |

୨୦୨୪ ନିର୍ବାଚନ ପୂର୍ବରୁ ଓ ପରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅନେକ ନେତା ବିଧାୟକ ଓ ସାଂସଦ ହୋଇଛନ୍ତି। ଆଉ କିଛି ନେତା ସରକାରୀ ଦାୟିତ୍ୱ କିମ୍ବା ନିଗମ ପଦବୀ ଅପେକ୍ଷାରେ ରହିଥିବା ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ଆଗରେ ଥିବାରୁ ଦଳକୁ ଆସିଥିବା ପୁରୁଣା ନେତା ଓ ସଂଗଠନର ମୂଳ କର୍ମୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ନେତାମାନେ ବିଜେପିରେ କେତେଦୂର ନିଜକୁ ଖାପ ଖୁଆଇପାରୁଛନ୍ତି ଏବଂ ଦଳ ଏହି ଅସନ୍ତୋଷକୁ କିପରି ସମ୍ଭାଳୁଛି, ତାହା ଆଗାମୀ ଦିନର ଓଡ଼ିଶା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ