Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Malda Hospital Tragedy: ୩ ସପ୍ତାହରେ ୬୦ ନବଜାତକଙ୍କ ମୃତ୍ୟୁ, ଗୋଟିଏ ଦିନରେ ଗଲା ୧୦ ଶିଶୁଙ୍କ ଜୀବନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୧୦ ଜଣ ନବଜାତକଙ୍କ ମୃତ୍ୟୁ ହୋଇଥିବାବେଳେ, ଅଗଷ୍ଟ ୨୦୨୬ର ପ୍ରଥମ ତିନି ସପ୍ତାହ ମଧ୍ୟରେ ମୋଟ ୬୦ ଜଣ ନବଜାତ ଶିଶୁଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଘଟଣାର ଗୁରୁତ୍ୱକୁ ଦେଖି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ପ୍ରଶାସନଠାରୁ ବିସ୍ତୃତ ରିପୋର୍ଟ ମାଗିଛି।

ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ୧୦ ଜଣ ଶିଶୁଙ୍କ ମଧ୍ୟରୁ ୮ ଜଣଙ୍କୁ ଅନ୍ୟ ସରକାରୀ ହସ୍ପିଟାଲ ଓ ଘରୋଇ ନର୍ସିଂହୋମରୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ମାଲଦା ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ସମସ୍ୟା, ଜଣ୍ଡିସ୍ ଏବଂ ହୃଦ୍‌ଜନିତ ସମସ୍ୟା ଥିବା ସୂଚନା ମିଳିଛି। ହସ୍ପିଟାଲ କର୍ତ୍ତୃପକ୍ଷ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଥିବାବେଳେ ସ୍ୱାସ୍ଥ୍ୟ ଭବନକୁ ପ୍ରାଥମିକ ରିପୋର୍ଟ ପଠାଯାଇଛି ଏବଂ ଖୁବଶୀଘ୍ର ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ତିନି ସପ୍ତାହରେ ମୃତ୍ୟୁ ହୋଇଥିବା ୬୦ ଜଣ ନବଜାତକଙ୍କ ମଧ୍ୟରୁ ୪୪ ଜଣଙ୍କୁ ଅନ୍ୟ ହସ୍ପିଟାଲ ଓ ନର୍ସିଂହୋମରୁ ଗୁରୁତର ଅବସ୍ଥାରେ ରେଫର୍ କରାଯାଇଥିଲା। ଅବଶିଷ୍ଟ ୧୬ ଜଣ ଶିଶୁ ମାଲଦା ମେଡିକାଲ କଲେଜରେ ଜନ୍ମ ହୋଇଥିଲେ। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅଧିକାରୀମାନେ ଏପର୍ଯ୍ୟନ୍ତ ୧୬ଟି ହସ୍ପିଟାଲ ଓ ନର୍ସିଂହୋମ ଯାଞ୍ଚ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ବୈଠକ ଡକାଯାଇଛି, ଯେଉଁଥିରେ ଘଟଣାର ତଦନ୍ତ ଅଗ୍ରଗତି ଓ ନବଜାତ ଶିଶୁଙ୍କ ମୃତ୍ୟୁର କାରଣ ନେଇ ବିସ୍ତୃତ ସମୀକ୍ଷା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ