Kanpur Plane Crash: ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପାଇଲଟ୍-ସହ ପାଇଲଟ୍ଙ୍କ ମୃତ୍ୟୁ, DGCAର ତଦନ୍ତ ଆରମ୍ଭ
କାନପୁର: ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏକ ଭୟଙ୍କର ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ଉଡ଼ାଣ ସମୟରେ ଏକ ପ୍ରଶିକ୍ଷଣ ବିମାନ ହଠାତ୍ ନିୟନ୍ତ୍ରଣ ହରାଇ ଗଙ୍ଗା ନଦୀ କୂଳ ନିକଟସ୍ଥ ଏକ ଚାଷଜମିରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ପାଇଲଟ୍ ଓ ସହ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ବିମାନଟି କାନପୁରର ଗାର୍ଗ ଏଭିଏସନ୍ ନାମକ ଏକ ଉଡ଼ାଣ ପ୍ରଶିକ୍ଷଣ ସଂସ୍ଥାର ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁହେଁଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ସୂଚନା ଅନୁଯାୟୀ, ଜଣେ ପାଇଲଟ୍ଙ୍କର ୩ ହଜାରରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ସେ ଗୁଜରାଟର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣ କର୍ଣ୍ଣାଟକର ବୋଲି ସୂଚନା ମିଳିଛି।
ଘଟଣା ପରେ ପୋଲିସ ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି। ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଓ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋକୁ ସୂଚନା ଦିଆଯାଇଛି। ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବ। କେଉଁ ପରିସ୍ଥିତିରେ ପ୍ରଶିକ୍ଷଣ ବିମାନଟି ନିୟନ୍ତ୍ରଣ ହରାଇଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଦୁଃଖଦ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

