Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ISI Espionage Case: ପାକିସ୍ତାନକୁ ୮ଟି SIM ପଠାଇଥିବା ଦମ୍ପତି ଗିରଫ, ୩୦ ହଜାର ଟଙ୍କାରେ ହୋଇଥିଲା ଡିଲ୍

ନୂଆଦିଲ୍ଲୀ:ଦିଲ୍ଲୀରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ସମ୍ପର୍କ ଥିବା ଅଭିଯୋଗରେ ଏକ ଯୁବ ଦମ୍ପତିଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ବିଶେଷ ଶାଖା। ପୁଲିସର ତଦନ୍ତ ଅନୁସାରେ, ସାହିଲ ଓ ତାଙ୍କ ପତ୍ନୀ ସମୀରା ୨୦୨୪ ମସିହାରୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କ ସହ ସମ୍ପର୍କରେ ଥିଲେ। ଅଭିଯୋଗ ଅନୁଯାୟୀ, ଦୁହେଁ ପାକିସ୍ତାନରେ ଥିବା ନିଜ ନିୟନ୍ତ୍ରକଙ୍କୁ ଭାରତୀୟ ସିମ୍ କାର୍ଡ ଯୋଗାଇବା ସହ ଅନ୍ୟାନ୍ୟ ସହାୟତା କରୁଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୪ ଓ ୨୦୨୫ ମଧ୍ୟରେ ଏହି ଦମ୍ପତି ୮ଟି ଭାରତୀୟ ସିମ୍ କାର୍ଡ କିଣି ଦୁବାଇ ମାଧ୍ୟମରେ ପାକିସ୍ତାନ ପଠାଇଥିବା ପୁଲିସ ଦାବି କରିଛି। ଏହା ବଦଳରେ ସେମାନଙ୍କୁ ପ୍ରାୟ ୩୦ ହଜାର ଟଙ୍କା ମିଳିଥିବା ଅଭିଯୋଗ ରହିଛି। ପାକିସ୍ତାନରେ ଏହି ନମ୍ବରଗୁଡ଼ିକରେ ହ୍ୱାଟ୍ସଆପ୍ ଖାତା ଖୋଲାଯାଇ ଭାରତୀୟ ହ୍ୱାଟ୍ସଆପ୍ ଗୋଷ୍ଠୀରେ ପ୍ରବେଶ କରି ସମ୍ବେଦନଶୀଳ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ହୋଇଥିବା ପୁଲିସ କହିଛି।

ପୁଲିସର ସୂଚନା ଅନୁସାରେ, ସାହିଲଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ସାମରିକ ଅଞ୍ଚଳ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଲୋକଙ୍କୁ ଯୋଡ଼ିବା ଏବଂ ସାମରିକ କର୍ମଚାରୀଙ୍କ ସମ୍ପର୍କିତ ତଥ୍ୟ ହାସଲ କରିବାର ଦାୟିତ୍ୱ ଦିଆଯାଇଥିଲା। ସାହିଲଙ୍କ ପଚରାଉଚରା ପରେ ସମୀରାଙ୍କ ଭୂମିକା ସାମ୍ନାକୁ ଆସିଥିବା ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ପୁଲିସ କହିଛି। ଉଭୟଙ୍କ ମୋବାଇଲ ଫୋନର ଫୋରେନସିକ୍ ଯାଞ୍ଚରେ ପାକିସ୍ତାନୀ ନିୟନ୍ତ୍ରକଙ୍କ ସହ ହୋଇଥିବା ସନ୍ଦିଗ୍ଧ ବାର୍ତ୍ତାଳାପ ମିଳିଥିବା ଦାବି କରାଯାଇଛି। ଏବେ ଏହି ଜାଲରେ ଆଉ କେତେଜଣ ସାମିଲ ଅଛନ୍ତି ଏବଂ ପାକିସ୍ତାନରେ ଥିବା ନିୟନ୍ତ୍ରକମାନେ କିଏ, ସେନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ