FIR against Rahul Gandhi: ହରିଦ୍ୱାରରେ ‘ଶୁଦ୍ଧିକରଣ’ ବିବାଦ, ରାହୁଲଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଉତ୍ତରାଖଣ୍ଡର ହଲ୍ଦୱାନୀ ପୁଲିସ ଏକ FIR ରୁଜୁ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟକ୍ରମ ସ୍ଥଳରେ ହୋଇଥିବା କଥିତ ‘ଶୁଦ୍ଧିକରଣ’ ରୀତିକୁ ନେଇ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଏବଂ ଧାର୍ମିକ ଭାବନାକୁ ଜାଣିଶୁଣି ଆଘାତ ପହଞ୍ଚାଇବା ସମ୍ପର୍କିତ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ସହ ଏସ୍ସି/ଏସ୍ଟି ଅତ୍ୟାଚାର ନିରୋଧ ଆଇନର ଧାରା ମଧ୍ୟ ଲାଗୁ କରାଯାଇଛି।
ଏହି ଅଭିଯୋଗ ଜୱାହର ନଗରର ବାସିନ୍ଦା ତଥା ଶ୍ରୀରାମ ସେନା ଧର୍ମାର୍ଥ ସେବା ନ୍ୟାସର ସଦସ୍ୟ ଅମିତ କୁମାର କରିଛନ୍ତି। ଅମିତଙ୍କ କହିବା ଅନୁସାରେ, ସେ ଉକ୍ତ ଶୁଦ୍ଧିକରଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଗଷ୍ଟ ୨୯ରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦେଇଥିବା ମନ୍ତବ୍ୟ ଭାଲ୍ମିକୀ ସମ୍ପ୍ରଦାୟର ଭାବନାକୁ ଆଘାତ କରିଥିବା ସେ ଅଭିଯୋଗ କରିଛନ୍ତି। ଶୁଦ୍ଧିକରଣରେ ସାମିଲ ଲୋକଙ୍କୁ ଅସ୍ପୃଶ୍ୟତା ପ୍ରଥା ସହ ଯୋଡ଼ିବା ଏବଂ ସେମାନଙ୍କୁ ଦଳିତ ବିରୋଧୀ ଭାବେ ଦର୍ଶାଇବାକୁ ରାହୁଲ ଚେଷ୍ଟା କରିଥିବା ଅମିତ ଅଭିଯୋଗ କରିଛନ୍ତି। ତାଙ୍କ ଦାବି ଅନୁସାରେ, ସେ ନିଜେ ଏସ୍ସି ସମ୍ପ୍ରଦାୟର ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଏସ୍ସି ସମ୍ପ୍ରଦାୟର ଲୋକ ମଧ୍ୟ ସାମିଲ ଥିଲେ।
ଏହି ଘଟଣାକୁ ନେଇ ଗତ କିଛି ଦିନ ଧରି ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ଅଗଷ୍ଟ ୮ରେ ହଲ୍ଦୱାନୀର ରାମଲୀଳା ମୈଦାନରେ ମଲ୍ଲିକାର୍ଜୁନ ଖଡଗେଙ୍କ ସଭା ପରେ ଅଗଷ୍ଟ ୧୧ରେ ସେଠାରେ କିଛି ଲୋକ କଥିତ ‘ଶୁଦ୍ଧିକରଣ ଯଜ୍ଞ’ କରିଥିଲେ। କଂଗ୍ରେସ ଏହାକୁ ବିଜେପିର ଦଳିତ ବିରୋଧୀ ମାନସିକତା ବୋଲି କହିଥିବା ବେଳେ, ବିଜେପି ପକ୍ଷରୁ ସଭାସ୍ଥଳରେ ଅଳିଆ ପଡ଼ିଥିବା ଏବଂ ଧାର୍ମିକ ସ୍ଥାନରେ ଅନୁଚିତ ନାରା ଦିଆଯାଇଥିବା ଅଭିଯୋଗ କରାଯାଇଥିଲା। ଅଗଷ୍ଟ ୨୯ରେ ରାହୁଲ ଗାନ୍ଧୀ ଏହି ଘଟଣାରେ ଦାୟୀ ଲୋକଙ୍କ ବିରୋଧରେ ଏସ୍ସି/ଏସ୍ଟି ଆଇନ ଅନୁସାରେ FIR ଦାବି କରିଥିଲେ। ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରାହୁଲଙ୍କ ଦାବିକୁ ସମର୍ଥନ କରିଥିଲେ।

