S-400 Deal: ଭାରତର ଡିଫେନ୍ସ ପାୱାର୍ ଆହୁରି ଶକ୍ତିଶାଳୀ ହେବ! ରୁଷିଆଠାରୁ ଆସୁଛି ଆଉ ୫ ସ୍କ୍ୱାଡ୍ରନ
ନୂଆଦିଲ୍ଲୀ: ଭାରତର ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବାକୁ ଯାଉଛି। ରୁଷିଆଠାରୁ ଆଉ ୫ଟି ଶକ୍ତିଶାଳୀ S-400 ଏୟାର ଡିଫେନ୍ସ ସିଷ୍ଟମ୍ର ସ୍କ୍ୱାଡ୍ରନ କିଣିବାକୁ ଭାରତ ଯୋଜନା କରୁଥିବା ବେଳେ ଏନେଇ ରୁଷିଆ ପକ୍ଷରୁ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରାଯାଇଛି। ପ୍ରାୟ ୫୦ ହଜାର କୋଟି ଟଙ୍କାର ଏହି ମେଗା ଡିଲ୍ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଟେଣ୍ଡରର ଜବାବରେ ରୁଷିଆ ସରକାରୀ ସ୍ତରରେ ନିଜର ପ୍ରସ୍ତାବ ଦେଇଛି। ବର୍ତ୍ତମାନ ପ୍ରସ୍ତାବର ଯାଞ୍ଚ ଓ ମୂଲ୍ୟାୟନ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଚୁକ୍ତି ସ୍ୱାକ୍ଷର ହେବାର ପ୍ରାୟ ୩ ବର୍ଷ ମଧ୍ୟରେ ନୂଆ S-400 ସ୍କ୍ୱାଡ୍ରନଗୁଡ଼ିକର ଯୋଗାଣ ଆରମ୍ଭ ହୋଇପାରେ। ୨୦୧୮ରେ ହୋଇଥିବା ଚୁକ୍ତି ଅନୁଯାୟୀ ଭାରତକୁ ମିଳିବାକୁ ଥିବା ୫ଟି S-400 ସ୍କ୍ୱାଡ୍ରନ ମଧ୍ୟରୁ ୪ଟି ଭାରତରେ ପହଞ୍ଚିସାରିଥିବା ବେଳେ ଶେଷ ସ୍କ୍ୱାଡ୍ରନର ଯୋଗାଣ ମଧ୍ୟ ଖୁବ୍ଶୀଘ୍ର ହେବାର ସମ୍ଭାବନା ରହିଛି। ନୂଆ ୫ଟି ସ୍କ୍ୱାଡ୍ରନକୁ ପୂର୍ବ ଓ ପଶ୍ଚିମ ମୋର୍ଚ୍ଚାରେ ମୁତୟନ କରି ଦେଶର ଦୀର୍ଘଦୂରଗାମୀ ଆକାଶ ପ୍ରତିରକ୍ଷା କ୍ଷମତାକୁ ଆହୁରି ବଢ଼ାଇବାକୁ ଯୋଜନା ରହିଛି।
ଏହା ସହିତ ମିସାଇଲ୍ ଷ୍ଟକ୍ ବଢ଼ାଇବା ପାଇଁ ୨୮୦ରୁ ଅଧିକ ଅତିରିକ୍ତ କ୍ଷେପଣାସ୍ତ୍ର ମଧ୍ୟ ସାମିଲ କରାଯିବାକୁ ଯୋଜନା ରହିଛି। S-400 ଏକ ଦୀର୍ଘଦୂରଗାମୀ ଭୂମିରୁ ଆକାଶକୁ କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହା ଶତ୍ରୁପକ୍ଷର ଲଢୁଆ ବିମାନ, କ୍ରୁଜ୍ ମିସାଇଲ୍ ଓ ଡ୍ରୋନ୍ ଭଳି ଆକାଶମାର୍ଗୀୟ ଲକ୍ଷ୍ୟକୁ ଠାବ କରି ପ୍ରତିହତ କରିବାର କ୍ଷମତା ରଖେ। ନୂଆ ସ୍କ୍ୱାଡ୍ରନ ସାମିଲ ହେଲେ ଭାରତୀୟ ବାୟୁସେନାର ଆକାଶ ପ୍ରତିରକ୍ଷା କବଚ ଆହୁରି ମଜଭୁତ ହେବ।

