Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood: ନେପାଳ ବନ୍ୟାପରେ ଉତ୍ତରପ୍ରଦେଶ ନଦୀରୁ ମିଳିଲା ୧୩ ମୃତଦେହ, ଚିହ୍ନଟ ପାଇଁ ଚାଲିଛି ପ୍ରକ୍ରିୟା

ଲକ୍ଷ୍ନୌ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍ରଭାବ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି। ନେପାଳରୁ ନାରାୟଣୀ-ଗଣ୍ଡକ ନଦୀ ପ୍ରଣାଳୀ ଦେଇ ଭାସି ଆସିଥିବା ୧୩ଟି ମୃତଦେହ କୁଶୀନଗରରୁ ଉଦ୍ଧାର କରାଯାଇଛି। ଏଥିରେ ୬ ଜଣ ପୁରୁଷ ଓ ୭ ଜଣ ମହିଳା ଥିବା ଅଧିକାରୀମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ SDRF ଟିମ୍‌ ନଦୀ ଉପରେ ନଜର ରଖିବା ସହ ମୃତଦେହ ଦେଖିବା ମାତ୍ରେ ଉଦ୍ଧାର କରୁଛନ୍ତି। ନଦୀରେ ମଣିଷଙ୍କ ମୃତଦେହ ସହ ପଶୁଙ୍କ ମୃତଦେହ ମଧ୍ୟ ଭାସି ଆସୁଥିବା ଜଣାପଡ଼ିଛି।

କୁଶୀନଗରରୁ ଉଦ୍ଧାର ହୋଇଥିବା ୧୩ଟି ମୃତଦେହ ମଧ୍ୟରୁ ୬ଟିକୁ କୁଶୀନଗର ମେଡିକାଲ କଲେଜର ମର୍ଚ୍ଚୁଆରିରେ ଡିପ୍‌ ଫ୍ରିଜରରେ ସୁରକ୍ଷିତ ରଖାଯାଇଥିବା ବେଳେ ୭ଟି ମୃତଦେହକୁ ଗୋରଖପୁରସ୍ଥିତ AIIMSକୁ ପଠାଯାଇଛି। ମୃତଦେହଗୁଡ଼ିକର ପରିଚୟ ଜାଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। କୁଶୀନଗର ଜିଲ୍ଲା ପ୍ରଶାସନ ନେପାଳ ସରକାରଙ୍କ ସହ ଯୋଗାଯୋଗରେ ରହିବା ସହ ବୈଦେଶିକ ମନ୍ତ୍ରଣାଳୟ (MEA) ମାଧ୍ୟମରେ ମୃତଦେହ ସମ୍ପର୍କିତ ତଥ୍ୟ ନେପାଳକୁ ପଠାଉଛି। ପୋଷ୍ଟମର୍ଟମ ସମେତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ମୃତଦେହଗୁଡ଼ିକୁ ନେପାଳ ପ୍ରଶାସନକୁ ହସ୍ତାନ୍ତର କରାଯିବ।

ସେହିପରି ମହାରାଜଗଞ୍ଜ ଜିଲ୍ଲାରୁ ମଧ୍ୟ ନାରାୟଣୀ-ଗଣ୍ଡକ ନଦୀରୁ ଉଦ୍ଧାର ହୋଇଥିବା ୪ଟି ଅଚିହ୍ନା ମୃତଦେହକୁ ପୋଷ୍ଟମର୍ଟମ ପରେ ନେପାଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏଥିରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଅଗଷ୍ଟ ୨୭ରୁ ମହାରାଜଗଞ୍ଜରେ ମୃତଦେହ ମିଳିବା ଆରମ୍ଭ ହୋଇଥିଲା। ପରିଚୟ ନିର୍ଣ୍ଣୟ ପାଇଁ ପୋଷ୍ଟମର୍ଟମ ସମୟରେ ସମସ୍ତଙ୍କ DNA ନମୁନା ସଂଗ୍ରହ କରାଯାଇଛି। ଏହି ତଥ୍ୟ ନେପାଳ ପ୍ରଶାସନ ସହ ଅଦଳବଦଳ କରାଯିବ, ଯାହା ଦ୍ୱାରା ନିଖୋଜ ବ୍ୟକ୍ତିଙ୍କ ପରିବାର ସହ DNA ମେଳ କରାଯାଇପାରିବ। ନେପାଳ ସୀମାକୁ ଲାଗିଥିବା ଏହି ଦୁଇ ଜିଲ୍ଲାରେ ପ୍ରଶାସନ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖିଛି। ସୂଚନା ଅନୁସାରେ, ନେପାଳରେ ଫ୍ଲାସ୍‌ ଫ୍ଲଡ୍‌ ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୯୦୩ରେ ପହଞ୍ଚିଥିବା ବେଳେ ୪,୨୪୭ ଜଣ ଏବେବି ନିଖୋଜ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories