Odisha DGP Selection: ଓଡ଼ିଶା ଡିଜିପି ଚୟନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଓଡ଼ିଶା ପୁଲିସ୍ର ସ୍ଥାୟୀ ଡିଜିପି ଚୟନକୁ ନେଇ ଉଠିଥିବା ବିବାଦରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଚୟନ ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି କରିବେ। ଆବେଦନରେ ଅଭିଯୋଗ ହୋଇଛି ଯେ, ୨୦୦୬ର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅଣଦେଖା କରି ଜଣେ କନିଷ୍ଠ ଅଧିକାରୀଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ଲାଗି ତାଙ୍କୁ ଶୀଘ୍ର ପଦୋନ୍ନତି ଦିଆଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଏହି ମୁଦ୍ଦାକୁ କୋର୍ଟରେ ଉପସ୍ଥାପନ କରିଛନ୍ତି।
ଡିଜିପି ଚୟନ ନେଇ ମାମଲାରେ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ପ୍ରଥମେ ହସ୍ତକ୍ଷେପ କରିଥିଲେ। ସ୍ଥାୟୀ ଡିଜିପି ଚୟନ ପାଇଁ ୟୁପିଏସସି ପକ୍ଷରୁ ହେବାକୁ ଥିବା ବୈଠକକୁ ସେତେବେଳେ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଅଗଷ୍ଟ ୧୮ର ଶୁଣାଣିରେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡରେ ସାମିଲ ହୋଇନଥିବାରୁ ମାମଲାକୁ ଆଜି ପାଇଁ ରଖାଯାଇଥିଲା। ଏହି ମଧ୍ୟରେ ରାଜ୍ୟ ସରକାର କାଉଣ୍ଟର ଆଫିଡେଭିଟ୍ ଦାଖଲ କରି ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ସରକାରଙ୍କ କହିବାନୁସାରେ, ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଏକ ସାଧାରଣ ପ୍ରଶାସନିକ ପ୍ରକ୍ରିୟା ଏବଂ ଏହାଦ୍ୱାରା କୌଣସି ନିୟମ ଭଙ୍ଗ ହୋଇନାହିଁ।
ଅନ୍ୟପଟେ, ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆ ଅବସର ନେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବର୍ତ୍ତମାନ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। ଆଜିର ଶୁଣାଣିରେ ରାଜ୍ୟ ସରକାରଙ୍କ ଯୁକ୍ତି ସହ ୟୁପିଏସସିର ଆଭିମୁଖ୍ୟକୁ ମଧ୍ୟ ସୁପ୍ରିମକୋର୍ଟ ବିଚାର କରିପାରନ୍ତି। ଏହାପରେ ସ୍ଥାୟୀ ଡିଜିପି ନିଯୁକ୍ତି ପାଇଁ ଆଗାମୀ ପଦକ୍ଷେପ ସମ୍ପର୍କରେ କୋର୍ଟ କୌଣସି ନିର୍ଦ୍ଦେଶ ଦେବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। ମାମଲାର ପରବର୍ତ୍ତୀ ରାୟ କିମ୍ବା ନିର୍ଦ୍ଦେଶ ଓଡ଼ିଶାର ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ପାଇଁ ଗୁରୁତ୍ୱ ବହନ କରିବ।

