Tamil Nadu Politics: ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଘୋଷଣା! ପ୍ରତ୍ୟାହାର ହେବ ଚାଷୀ ଓ ଶିକ୍ଷକଙ୍କ ବିରୋଧରେ ଥିବା ସମସ୍ତ ମାମଲା
ତାମିଲନାଡୁ: ତାମିଲନାଡୁ ସରକାର ଚାଷୀ ଓ ଶିକ୍ଷକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛି। ପୂର୍ବତନ ଡିଏମକେ ସରକାର ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଥିବା ଚାଷୀ ଓ ଶିକ୍ଷକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ସରକାର ଘୋଷଣା କରିଛି। ବିଧାନସଭାରେ ଏନେଇ ଘୋଷଣା କରାଯାଇଥିବା ବେଳେ, ଏହାଦ୍ୱାରା ଦୀର୍ଘଦିନ ଧରି ଆଇନଗତ ଜଟିଳତାର ସମ୍ମୁଖୀନ ହେଉଥିବା ଅନେକ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ।
ସରକାରଙ୍କ ଅନୁସାରେ, ୨୦୨୧ ମେ’ରୁ ୨୦୨୬ ମଧ୍ୟରେ ଶିଳ୍ପାଞ୍ଚଳ ବିକାଶ ପାଇଁ ପ୍ରସ୍ତାବିତ SIPCOT ପ୍ରକଳ୍ପ ଏବଂ ପରନ୍ଦୁର ବିମାନବନ୍ଦର ଭଳି ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିଥିବା ଚାଷୀ ଓ ଶିକ୍ଷକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହି ମାମଲାଗୁଡ଼ିକ ବିଚାରାଧୀନ ଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ଅସୁବିଧାରେ ପଡ଼ୁଥିଲେ। ସରକାର ଚାଷୀ ଓ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ସହ ରହିବ ବୋଲି କହିଛି।
ଏପଟେ, ଏହି ନିଷ୍ପତ୍ତି ପରେ ନିଟ୍ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ ଏବଂ ନେଇଭେଲି ଲିଗ୍ନାଇଟ୍ କର୍ପୋରେସନ୍ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରୁ ମଧ୍ୟ ମାମଲା ପ୍ରତ୍ୟାହାର କରିବାକୁ ସିପିଆଇ ଓ ପିଏମ୍କେ ଦାବି କରିଛନ୍ତି। ଏହି ଦାବିଗୁଡ଼ିକୁ ଆଇନ ମନ୍ତ୍ରୀ ନିର୍ମଳ କୁମାର ସରକାର ସହାନୁଭୂତିର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

