Modi Cabinet: ବଦଳିବ ମନ୍ତ୍ରୀଙ୍କ ଦାୟିତ୍ୱ! ବୈଷ୍ଣବଙ୍କୁ ମିଳିପାରେ ବଡ଼ ଭୂମିକା, ଚର୍ଚ୍ଚାରେ ୧୭ ନୂଆ ମୁହଁ
ନୂଆଦିଲ୍ଲୀ : ନୂତନ ବିଜେପି ସାଂଗଠନିକ ଦଳ ଗଠନ ପରେ ଏବେ ମୋଦି ସରକାରରେ କ୍ୟାବିନେଟ୍ ବିସ୍ତାର ଓ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଲୋଚନା ଅନୁସାରେ, ମନ୍ତ୍ରିମଣ୍ଡଳରୁ କିଛି ଅଭିଜ୍ଞ ନେତାଙ୍କୁ ହଟାଇ ତାଙ୍କ ସ୍ଥାନରେ ୧୬ରୁ ୧୭ ଜଣ ଯୁବ ଓ ନୂଆ ମୁହଁଙ୍କୁ ସାମିଲ କରାଯାଇପାରେ। ୨୦୨୭ର ବିଧାନସଭା ଓ ୨୦୨୯ର ଲୋକସଭା ନିର୍ବାଚନକୁ ନଜରରେ ରଖି ଏହି ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ଅଦଳବଦଳର ଏକ ପ୍ରମୁଖ ଆଧାର କରାଯାଇପାରେ।
ଏହି ଚର୍ଚ୍ଚା ମଧ୍ୟରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ବିଶେଷ ଆଲୋଚନା ହେଉଛି। ବର୍ତ୍ତମାନ ସେ ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି। ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସକାରାତ୍ମକ ଆଲୋଚନା ଥିବାରୁ ତାଙ୍କୁ ଆହୁରି ବଡ଼ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ସେହିପରି ନୀତିନ ଗଡକାରୀଙ୍କ ମନ୍ତ୍ରଣାଳୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ରହିଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ଆସିନାହିଁ।
ଅନ୍ୟପଟେ, କ୍ୟାବିନେଟ୍ ବିସ୍ତାରରେ କିଛି ସହଯୋଗୀ ଦଳର ନେତାଙ୍କୁ ମଧ୍ୟ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ସେଥିରୁ କିଛି ଦାୟିତ୍ୱ ନୂଆ ମୁହଁଙ୍କୁ ଦିଆଯାଇପାରେ। ବର୍ତ୍ତମାନ ମୋଦି କ୍ୟାବିନେଟ୍ରେ ୬୯ ଜଣ ମନ୍ତ୍ରୀ ଥିବା ବେଳେ ସଂଖ୍ୟା ସର୍ବାଧିକ ୮୧ ଜଣ ପର୍ଯ୍ୟନ୍ତ ହୋଇପାରିବ। ତେଣୁ ଖାଲି ଥିବା ପଦବୀରେ ଯୁବ ନେତାଙ୍କୁ ସୁଯୋଗ ଦେବା ସହ ସହଯୋଗୀ ଦଳଙ୍କୁ ପ୍ରତିନିଧିତ୍ୱ ଦେବା ନେଇ ମଧ୍ୟ ବିଚାର ହୋଇପାରେ। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହି ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଥିଲେ ମଧ୍ୟ ଅନ୍ତିମ ନିଷ୍ପତ୍ତି ନେଇ କୌଣସି ସ୍ପଷ୍ଟତା ନାହିଁ।

