Kareena Kapoor: ଏକାଦଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିବାକୁ ନେଇ କରିନାଙ୍କ ଅନୁତାପ, ପୁଅଙ୍କ ପାଇଁ କରୀନାଙ୍କ ବଡ଼ ଶିକ୍ଷା
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିଜ ଶିକ୍ଷାକୁ ଅଧାରେ ଛାଡ଼ିଥିବା ନେଇ ଅନୁତାପ ପ୍ରକାଶ କରିଛନ୍ତି। ହନୁମାନ ଦାସଙ୍କ ସହ ଆଲୋଚନା ସମୟରେ କରୀନା କହିଛନ୍ତି ଯେ, ସେ ଏକାଦଶ ଶ୍ରେଣୀ ପରେ ଆଉ ପାଠପଢ଼ା ଜାରି ରଖିନଥିଲେ। ଫିଲ୍ମ ପ୍ରତି ନିଜର ଆଗ୍ରହ ଓ ଅଭିନେତ୍ରୀ ହେବାର ଇଚ୍ଛାକୁ ପୂରଣ କରିବା ପାଇଁ ସେ ପାଠପଢ଼ା ଛାଡ଼ିଥିବା କହିଛନ୍ତି। ତାଙ୍କ ମତରେ, ଏହା ଏଭଳି ଏକ ନିଷ୍ପତ୍ତି ଯାହାକୁ ନେଇ ଆଜି ମଧ୍ୟ ତାଙ୍କ ମନରେ ଅନୁତାପ ରହିଛି।
କରୀନା କହିଛନ୍ତି ଯେ, ତାଙ୍କ ପୁଅମାନେ ମଧ୍ୟ ନିଜ ମନର କଥା ଶୁଣି ଜୀବନରେ ଆଗକୁ ବଢ଼ନ୍ତୁ ବୋଲି ସେ ଚାହାନ୍ତି, କିନ୍ତୁ ସେମାନେ ନିଜ ଶିକ୍ଷା ମଧ୍ୟ ସମ୍ପୂର୍ଣ୍ଣ କରନ୍ତୁ। ନିଜ ଭଉଣୀ କରିସ୍ମା କପୁରଙ୍କ ସହ ବଡ଼ ହୋଇଥିବା କରୀନାଙ୍କ ପାଇଁ ଦୁଇ ପୁଅ ତୈମୁର ଓ ଜେହଙ୍କୁ ପାଳିବା ଏକ ଭିନ୍ନ ଅନୁଭୂତି ବୋଲି ସେ କହିଛନ୍ତି। ଦୁଇ ପୁଅଙ୍କୁ ଦେଖି ସେ ପ୍ରତିଦିନ କିଛି ନୂଆ ଶିଖୁଥିବା ମଧ୍ୟ କହିଛନ୍ତି।
ଏପଟେ କାମ କଥା କହିଲେ, କରୀନା ଖୁବ୍ଶୀଘ୍ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ‘Daayra’ରେ ନଜର ଆସିବେ। ଏହା ଏକ ତଦନ୍ତଭିତ୍ତିକ ଡ୍ରାମା ଫିଲ୍ମ, ଯାହାର କାହାଣୀ ମେଘନା ଗୁଲଜାର, ସୀମା ଅଗ୍ରୱାଲ୍ ଓ ଯଶ କେସୱାନୀ ଲେଖିଛନ୍ତି। ଫିଲ୍ମରେ କରୀନାଙ୍କ ସହ ପୃଥ୍ୱୀରାଜ ସୁକୁମାରନ୍ ଅଭିନୟ କରୁଛନ୍ତି। ‘Daayra’ ଜଙ୍ଗଲୀ ପିକ୍ଚର୍ସ ଓ ପେନ୍ ଷ୍ଟୁଡିଓସ୍ ଦ୍ୱାରା ପ୍ରଯୋଜିତ ହେଉଥିବା ବେଳେ ଏହା କରୀନା ଓ ପୃଥ୍ୱୀରାଜଙ୍କ ମେଘନା ଗୁଲଜାରଙ୍କ ସହ ପ୍ରଥମ ସହଯୋଗ।

