Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳମଗ୍ନ ଗର୍ତ୍ତ ପାଲଟିଲା ଯମ: ବରଣ୍ଡାବାହାଲରେ ଖେଳୁ ଖେଳୁ ଚାଲିଗଲା ୩ ବର୍ଷର ଶିଶୁପୁତ୍ରର ଜୀବନ ।

ବଲାଙ୍ଗୀର,୩।୯: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବରଣ୍ଡାବାହାଲ ଗ୍ରାମରେ ଏକ ହୃଦୟବିଦାରକ ଅଘଟଣ ଘଟିଯାଇଛି। ଘର ନିକଟରେ ଖେଳୁଥିବା ସମୟରେ ଜଳମଗ୍ନ ଗର୍ତ୍ତରେ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଛି। ମୃତ ଶିଶୁଟି ସ୍ଥାନୀୟ ଜପେଶ୍ୱର ସାହୁଙ୍କ ପୁଅ ଅର୍ମାନ ସାହୁ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୬ରୁ ୭ଟା ସମୟରେ ଅର୍ମାନ ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ପାଖରେ ଥିବା ଏକ ପ୍ରାୟ ୫ ଫୁଟ୍ ଗଭୀର ପାଣି ଜମିଥିବା ଗର୍ତ୍ତରେ ଗଳି ପଡ଼ିଥିଲା। ଶିଶୁଟିକୁ ନଦେଖି ପରିବାର ଲୋକେ ଓ ଗ୍ରାମବାସୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଗର୍ତ୍ତ ମଧ୍ୟରୁ ତାକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।
ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଇଁତଲା ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ଶେଷ ପରେ ଅପରାହ୍ନ ୪ଟା ସମୟରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଅଭାବନୀୟ ଘଟଣା ପରେ ଶିଶୁଟିର ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମଗ୍ର ବରଣ୍ଡାବାହାଲ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories