ମୁରିବାହାଲରୁ ଆଇଏଏସ୍: ପଦୋନ୍ନତି ପାଇଲେ ସୁର୍ଯ୍ୟ ନାରାୟଣ ଦାସ, ବଲାଙ୍ଗୀର ପାଇଁ ଗୌରବ ।
ବଲାଙ୍ଗୀର,୪।୯: ବଲାଙ୍ଗୀର ଜିଲ୍ଲାର ଅତ୍ୟନ୍ତ ଅନୁନ୍ନତ, ଅବହେଳିତ ତଥା ଦାଦନ ପ୍ରବଣ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟସ୍ଥିତ ପଞ୍ଚାୟତ ହାଇସ୍କୁଲର ପ୍ରାକ୍ତନ ଛାତ୍ର ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ, ଓ.ପ୍ର.ସେ. (OAS) ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରକୁ ପଦୋନ୍ନତି ପାଇଛନ୍ତି। ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମଗ୍ର ବଲାଙ୍ଗୀର ଜିଲ୍ଲା ତଥା ମୁରିବାହାଲ ସ୍ଥାନୀୟ ଅଞ୍ଚଳ ପାଇଁ ଆଣିଦେଇଛି ଅଶେଷ ଗୌରବ।
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)କୁ ଉନ୍ନୀତ ହୋଇ ଶ୍ରୀ ଦାସ ରାଜ୍ୟ ପ୍ରଶାସନିକ ମହଲରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା, ଉଚ୍ଚ ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାର ଫଳସ୍ୱରୂପ ଏହି ପଦୋନ୍ନତି ମିଳିଛି।
ଶ୍ରୀ ଦାସ ନିଜ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସହ ଲୋକକଲ୍ୟାଣମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ସଫଳ ରୂପାୟଣରେ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ସ୍ୱତନ୍ତ୍ର ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।
ଓଏଏସ୍ରୁ ଆଇଏଏସ୍କୁ ଉନ୍ନୀତ ହେବା କେବଳ ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ତାଙ୍କର ଦୀର୍ଘଦିନର ନିରବଚ୍ଛିନ୍ନ ସେବା ଓ ସମର୍ପଣ ପ୍ରତି ଏକ ଆନୁଷ୍ଠାନିକ ସ୍ୱୀକୃତି। ମୁରିବାହାଲ ପଞ୍ଚାୟତ ହାଇସ୍କୁଲରୁ ଶିକ୍ଷାରମ୍ଭ କରି ଆଜି ରାଜ୍ୟର ଶୀର୍ଷ ପ୍ରଶାସନିକ ସ୍ତରରେ ପହଞ୍ଚିବା ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ସାଜିଛି।
ଆଇଏଏସ୍ ଭାବେ ନୂଆ ଦାୟିତ୍ୱରେ ସେ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି। ଶ୍ରୀ ସୂର୍ଯ୍ୟ ନାରାୟଣ ଦାସଙ୍କ ଏହି ନୂତନ ସଫଳତା ପାଇଁ ବଲାଙ୍ଗୀର ଜିଲ୍ଲା ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସ୍ରୋତ ଛୁଟୁଛି। ତାଙ୍କର ନୂତନ ଦାୟିତ୍ୱ ଓଡ଼ିଶାର ଜନସେବା ତଥା ପ୍ରଶାସନିକ ବିକାଶରେ ଆହୁରି ମହତ୍ତ୍ୱପୂର୍ଣ୍ଣ ଅବଦାନ ଆଣିବ ବୋଲି ଓଡ଼ିଶାବାସୀ ତଥା ବଲାଙ୍ଗୀର ଜିଲ୍ଲାବାସୀ ଆଶାବ୍ୟକ୍ତ କରିଛନ୍ତି ।

