Hospital Smoke Incident: ମଧ୍ୟରାତିରେ NICUରେ ଧୂଆଁ, ନବଜାତ ଶିଶୁଙ୍କୁ କୋଳରେ ଧରି ଦୌଡ଼ିଲେ ହସ୍ପିଟାଲ କର୍ମଚାରୀ; CCTVରେ କଏଦ ଦୃଶ୍ୟ
ମୁମ୍ବାଇ: ଛତ୍ରପତି ସମ୍ଭାଜୀନଗରର ଏସିଆନ୍ ହସ୍ପିଟାଲରେ ମଧ୍ୟରାତିରେ ହଠାତ୍ ଧୂଆଁ ବ୍ୟାପିବା ପରେ ନବଜାତ ଶିଶୁଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ହସ୍ପିଟାଲର PICU/NICUରେ ଧୂଆଁ ଦେଖାଯିବା ପରେ କର୍ମଚାରୀମାନେ ତତ୍ପରତାର ସହ ଶିଶୁମାନଙ୍କୁ ବାହାରକୁ ନେବା ଆରମ୍ଭ କରିଥିଲେ। ସ୍ଥାନୀୟ ରିପୋର୍ଟ ଓ ଅଧିକାରୀଙ୍କ ସୂଚନା ଅନୁସାରେ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି। ଘଟଣାର CCTV ଫୁଟେଜ୍ରେ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ NICU ଭିତରକୁ ପ୍ରବେଶ କରି ନବଜାତ ଶିଶୁଙ୍କୁ କୋଳରେ ଧରି ସୁରକ୍ଷିତ ସ୍ଥାନକୁ ନେଉଥିବା ଦେଖାଯାଇଛି।
ସୂଚନା ଅନୁସାରେ, PICU/NICUରୁ ମୋଟ ୯ ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ଧୂଆଁ ବଢ଼ିବାରୁ ସତର୍କତାମୂଳକ ପଦକ୍ଷେପ ଭାବେ ହସ୍ପିଟାଲର ଅନ୍ୟ ରୋଗୀମାନଙ୍କୁ ମଧ୍ୟ ଖାଲି କରାଯାଇଥିଲା। କର୍ମଚାରୀମାନଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥାରେ ଥିବା ନବଜାତ ଶିଶୁମାନଙ୍କୁ ପ୍ରଭାବିତ ଅଞ୍ଚଳରୁ ସମୟ ପୂର୍ବରୁ ହଟାଇ ଦିଆଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ଖବର ମିଳିନାହିଁ।
ଘଟଣା ପରେ ହସ୍ପିଟାଲର ବିଦ୍ୟୁତ୍ ବ୍ୟବସ୍ଥା ଓ ଅଗ୍ନି ନିରାପତ୍ତା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଧୂଆଁର ପ୍ରକୃତ କାରଣ କ’ଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଫାୟାର୍ ସେଫ୍ଟି ନିୟମ ଓ ପ୍ରୋଟୋକଲ୍ ଠିକ୍ ଭାବେ ପାଳନ ହୋଇଥିଲା କି ନାହିଁ, ତାହା ଯାଞ୍ଚ ପାଇଁ ତଦନ୍ତ ହେବା ଆଶା କରାଯାଉଛି। ଏପଟେ CCTV ଫୁଟେଜ୍ରେ ଦେଖାଯାଇଥିବା ହସ୍ପିଟାଲ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଏବେ ଚର୍ଚ୍ଚାରେ ରହିଛି। ଘଟଣା ସମ୍ପର୍କିତ ତଦନ୍ତ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

