ପିଏମ୍ ଶ୍ରୀ କେଭି ଭବାନୀପାଟଣାରେ ମହା ଆଡମ୍ବରରେ ଶିକ୍ଷକ ଦିବସ ପାଳିତ।
କଳାହାଣ୍ଡି,୦୭/୦୯(ଆପ୍ର)
ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାରେ ଶିକ୍ଷକ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଭୂମିକା ନିର୍ବାହ କରି ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟର ଅନୁଭବ ହାସଲ କରିଥିଲେ। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀ ଭୀମସେନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଶିକ୍ଷକ ଦିବସର ମହତ୍ତ୍ୱ ଏବଂ ଶିକ୍ଷକଙ୍କ ପ୍ରତି ସମ୍ମାନର ଭାବନା ଉପରେ ଆଲୋକପାତ କରିଥିଲେ।
ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଚୟନ ଗର୍ବର ବିଷୟ ଉଲ୍ଲେଖନୀୟ ଯେ, ପ୍ରାଚାର୍ଯ୍ୟ ଶ୍ରୀ ଭୀମସେନ ପଣ୍ଡାଙ୍କୁ ୨୦୨୬ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ କେଭିଏସ୍ ଆଞ୍ଚଳିକ ଚୟନ କମିଟି, ଭୁବନେଶ୍ୱର ଅଞ୍ଚଳ ଦ୍ୱାରା ଚୟନ କରାଯାଇଥିଲା। ଯଦିଓ ସେ ଜାତୀୟ ସ୍ତରର ଅନ୍ତିମ ଚୟନରେ ସ୍ଥାନ ପାଇପାରିନଥିଲେ, ତଥାପି ଏହି ସଫଳତା ବିଦ୍ୟାଳୟ ପରିବାର ପାଇଁ ଗର୍ବର ବିଷୟ ଅଟେ। ଶ୍ରୀ ପଣ୍ଡା ତାଙ୍କ ଛାତ୍ରଛାତ୍ରୀ, ସହକର୍ମୀ, ଅଭିଭାବକ, ଅଧିକାରୀ ଓ ଶୁଭେଚ୍ଛୁ ମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଭବିଷ୍ୟତରେ ଶିକ୍ଷା ଓ ଶିକ୍ଷଣ କ୍ଷେତ୍ରରେ ଆହୁରି ସମର୍ପିତ ଭାବେ କାର୍ଯ୍ୟ କରିବାର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଲ୍ଲେଖନୀୟ ଯେ, ତାଙ୍କୁ ୨୦୨୨–୨୩ ମସିହାରେ ବିଦ୍ୟାଳୟ ଶିକ୍ଷାରେ ନବସୃଜନ ଓ ପରୀକ୍ଷଣ ପାଇଁ ଏନ୍ସିଇଆର୍ଟି ଜାତୀୟ ପୁରସ୍କାର, ୨୦୨୩ ମସିହାରେ କେଭିଏସ୍ ଭୁବନେଶ୍ୱର ଅଞ୍ଚଳରୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଚୟନ, ଏବଂ ୨୦୧୯–୨୦ ମସିହାରେ କେଭିଏସ୍ ଇନ୍ସେଣ୍ଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି ସମାରୋହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନେହ, ସମ୍ମାନ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିଥିଲା।

