ସହିଦ ଜୟପ୍ରକାଶଙ୍କୁ ଶେଷ ବିଦାୟ: କଣ୍ଟାବାଞ୍ଜିରୁ ଖରବାହାଲି ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା, ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ସମ୍ପନ୍ନ ।
ବଲାଙ୍ଗୀର,୭।୯: ଦେଶସେବାରେ ନିୟୋଜିତ ଥିବା ବେଳେ ଅକାଳରେ ପ୍ରାଣ ହରାଇଥିବା ବୀର CRPF ଯବାନ ଜୟପ୍ରକାଶ ଗହୀରଙ୍କୁ ଏକ ଭାବବିହ୍ୱଳ ପରିବେଶରେ ଶେଷ ବିଦାୟ ଦିଆଯାଇଛି।
ସୂଚନାମତେ, ଜୟପ୍ରକାଶ ଛତିଶଗଡ଼ର ବିଲାସପୁରଠାରେ ଡ୍ୟୁଟିକୁ ବାହାରିବା ସମୟରେ ଜୟପ୍ରକାଶଙ୍କ ଛାତିରେ ହଠାତ୍ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
CRPF ପକ୍ଷରୁ ପାର୍ଥିବ ଶରୀର ଓଡ଼ିଶା ଅଣାଯିବା ପରେ କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହାପରେ କଣ୍ଟାବାଞ୍ଜି ସହର ଦେଇ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏଥିରେ ସରପଞ୍ଚ ପୁରନ୍ଦର ବାଗ, ପୂର୍ବତନ ସେନିକ ଗିରିରାଜ ସିଂ ମାଝୀ, ବିଜେପି ଯୁବ ମୋର୍ଚ୍ଛାର ମୁକେଶ ବାଗ, ବିକାଶ ଷଡଙ୍ଗୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ: ଶୋଭାଯାତ୍ରା ଶେଷ ହେବା ପରେ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ବେଲପଡ଼ା ବ୍ଲକ ଅନ୍ତର୍ଗତ ଖରବାହାଲି ଗାଁକୁ ନିଆଯାଇଥିଲା। ସେଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ପରିବାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
CRPF ପକ୍ଷରୁ ସହିଦଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ଯାହା ଶେଷକୃତ୍ୟ କାର୍ଯ୍ୟରେ ସହାୟକ ହେବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।
ପରିବାରର ମୁଖ୍ୟ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସ୍ତ୍ରୀ ଓ ଦୁଇଟି ଛୋଟ ଶିଶୁ ଏବେ ଅସହାୟ ହୋଇପଡ଼ିଛନ୍ତି। ତେଣୁ ସେମାନଙ୍କ ଭରଣପୋଷଣ, ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ସରକାରୀ ସ୍ତରରେ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।

